ଇତିହାସ ସୃଷ୍ଟିକଲା ଏୟାର ଇଣ୍ଡିଆ: ସାଉଦିଆରବ ଦେଇ ଇସ୍ରାଏଲକୁ ସିଧାସଳଖ ବିମାନ ଉଡାଣ ଆରମ୍ଭ

ତେଲଆଭିଭ: ଆଜି ଏୟାର ଇଣ୍ଡିଆ ଭାରତ- ଇସ୍ରାଏଲ ସମ୍ପର୍କକୁ ଦୃଢ଼ କରିବା ସହିତ ଏକ ଇତିହାସ ସୃଷ୍ଟିକରିଛି। ପ୍ରଥମଥର ପାଇଁ ଏୟାର ଇଣ୍ଡିଆର ଏକ ବିମାନ ସାଉଦିଆରବ ଏ୍ରାର ସ୍ପେସ ବ୍ୟବହାର କରି ସିଧାସଳଖ ନୂଆଦିଲ୍ଲୀରୁ ତେଲଆଭିଭରେ ପହଞ୍ଚିଛି।
ଇସ୍ରାଏଲର ସମୟ ରାତି ୧୦ଟା ୧୫ ମିନିଟରେ ଏୟାର ଇଣ୍ଡିଆର ଫ୍ଲାଇଟ୍‌ ଏଆଇ୧୩୯ ତେଲ ଆଭିଭର ବେନ ଗୁରିୟନ ବିମାନବନ୍ଦରରେ ଅବତରଣ କରିଥିଲା। ଗୁରୁତ୍ୱପୂର୍ଣ୍ଣ ହେଉଛି ସାଉଦି ଆରବ ତାର ଏୟାର ସ୍ପେସ୍‌ ବ୍ୟବହାର କରିବାକୁ ଏୟାର ଇଣ୍ଡିଆକୁ ସୁଯୋଗ ଦେବା ପରେ ଭାରତରୁ ଇସ୍ରାଏଲର ଦୂରତା ଯଥେଷ୍ଟ ହ୍ରାସ ପାଇଛି। ଏ ନେଇ ଇସ୍ରାଏଲର ପର୍ଯ୍ୟଟନ ମନ୍ତ୍ରୀ ୟାରିଭ ଲେଭିନ୍‌ ଖୁସି ପ୍ରକଟ କରି କହିଛନ୍ତି ଯେ ଏହା ଫଳରେ ଭାରତର ଅଧିକ ପର୍ଯ୍ୟଟକ ଇସ୍ରାଏଲ ଆସିବେ ଓ ତାଠାରୁ ଅଧିକ ଇସ୍ରାଏଲ ପର୍ଯ୍ୟଟକ ଭାରତ ଭ୍ରମଣରେ ଯିବାର ସୁଯୋଗ ପାଇବେ। ଫଳରେ ଦୁଇ ଦେଶର ସମ୍ପର୍କ ଅଧିକ ମଜଭୁତ ହେବ।


ସୂଚନାଯୋଗ୍ୟ ଯେ ସାଉଦ ଆରବ ଏୟାର ଇଣ୍ଡିଆ ବିମାନକୁ ତାର ଏୟାର ସ୍ପେସ ବ୍ୟବହାର କରିବାକୁ ସୁଯୋଗ ଦେବାରୁ ଭାରତ ଇସ୍ରାଏଲ ମଧ୍ୟରେ ବିମାନ ଉଡାଣ ସମୟରେ ଯଥେଷ୍ଟ ହ୍ରାସ ଘଟିଛି। ପୂର୍ବରୁ ଏଥିପାଇଁ ୯ ଘଣ୍ଟା ୨୫ ମିନିଟ ଲାଗୁଥିବା ବେଳେ ଏବେ ଏହା ୨ଘଣ୍ଟା ୧୦ ମିନିଟର ଉଡ଼ାଣ କମ୍‌ କରି ମାତ୍ର ୭ ଘଣ୍ଟା ୧୫ ମିନିଟରେ ତେଲଆଭିଭରେ ପହଞ୍ଚି ପାରୁଛି।
ସୂଚନାଯୋଗ୍ୟ ଯେ ବହୁ ଆରବ ଓ ଇସଲାମିକ ରାଷ୍ଟ୍ର ଇସ୍ରାଏଲକୁ ମାନ୍ୟତା ଦେଉ ନ ଥିବାରୁ ସେମାନଙ୍କ ଏୟାର ସ୍ପେସ ବ୍ୟବହାର ପାଇଁ ଅନୁମତି ଦେଇ ନ ଥାନ୍ତି। ଏ ସମ୍ପର୍କରେ ଇସ୍ରାଏଲର ପର୍ଯ୍ୟଟନ ମନ୍ତ୍ରୀ ଲେଭିନ୍‍ କହିଛନ୍ତି, ଇସ୍ରାଏଲ ସହିତ ଆରବ ରାଷ୍ଟ୍ରର ସମ୍ପର୍କ ବୃଦ୍ଧି ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ସଫଳତାର ସହିତ ସମ୍ପନ୍ନ କରିପାରିଛି। ସେହିପରି ଇସ୍ରାଏଲରେ ଭାରତୀୟ ରାଷ୍ଟ୍ରଦୂତ ପବନ କୁମାର କହିଛନ୍ତି ଯେ ଏ ନେଇ ଦୁଇ ଦେଶର ପ୍ରଧାନମନ୍ତ୍ରୀ ବହୁ ଉଦ୍ୟମକରିଥିଲେ, ଶେଷରେ ଏହା ସଫଳ ହୋଇଛି । ସେହିପରି ଏୟାର ଇଣ୍ଡିଆର ସିଏମଡି ପ୍ରଦୀପ ଖରୋଲା କହିଛନ୍ତି, ଏହି ବିମାନ ସପ୍ତାହରେ ମଙ୍ଗଳବାର, ଘୁରୁବାର ଓ ରବିବାର ଉଡ଼ାଣ କରିବ।

ସମ୍ବନ୍ଧିତ ଖବର