ମେ ୪ରୁ ଘରୋଇ ଉଡ଼ାଣ ଓ ଜୁନ୍ ୧ରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ବୁକିଂ ଆରମ୍ଭ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: କରୋନାଭାଇରସ ପାଇଁ ସାରା ଦେଶକୁ ଲକଡାଉନ ମଧ୍ୟରେ ରଖାଯାଇଥିବାରୁ ସମସ୍ତ ବିମାନ ଉଡ଼ାଣକୁ ବନ୍ଦ କରାଯାଇଥିଲା।  ଏପ୍ରିଲ ୧୪ରେ ପ୍ରଥମ ପର୍ଯ୍ୟାୟ ଲକଡାଉନ ସରିଥିବା ବେଳେ ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ମୋଦୀ ଏହାର ଅବଧିକୁ ମେ ୩ ପର୍ଯ୍ୟନ୍ତ ବଢ଼ାଇଥିଲେ | ବର୍ତ୍ତମାନ ମେ ୩ ପର୍ଯ୍ୟନ୍ତ ସମସ୍ତ ବିମାନ ସେବା ବନ୍ଦ ଥିବା ବେଳେ ଜାତୀୟ ବିମାନ ପରିବହନକାରୀ କମ୍ପାନି ଏୟାର ଇଣ୍ଡିଆ ପକ୍ଷରୁ ବୁକିଂ ଆରମ୍ଭକୁ ନେଇ ସୂଚନା ଦିଆଯାଇଛି | ଜୁନ୍ ୧, ୨୦୨୦ଠାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ବୁକିଂ ଆରମ୍ଭ କରିବା ସହ ମେ ୪, ୨୦୨୦ଠାରୁ ମନୋନୀତ ଘରୋଇ ରୁଟ୍ ପାଇଁ ବୁକିଂ ଆରମ୍ଭ ହେବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ମନୋନୀତ ଘରୋଇ ମାର୍ଗରେ ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ ଏବଂ ବେଙ୍ଗାଲୁରୁ ଭଳି ଗୁରୁତ୍ୱପୂର୍ଣ୍ଣ ମେଟ୍ରୋ ସହର ଅନ୍ତର୍ଭୁକ୍ତ।

ସୂଚନା ମୁତାବକ, ମାର୍ଚ୍ଚ ୨୫ରୁ ଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଥିଲେ ଏବଂ ଲକଡାଉନର ଶେଷ ଦିନ ଏପ୍ରିଲ୍ ୧୪ପର୍ଯ୍ୟନ୍ତ ସମସ୍ତ ବିମାନ ଉଡ଼ାଣ ବନ୍ଦ ହୋଇଯାଇଥିଲା। କିନ୍ତୁ ପରେ ଲକଡାଉନର ଅବଧି ବଢିବା ସହ ବିମାନ ଉଡ଼ାଣକୁ ମଧ୍ୟ ବନ୍ଦ ରଖାଯାଇଥିଲା | ଲକଡାଉନ୍ ସତ୍ୱେ ଅନେକ ଘରୋଇ ବିମାନ ପରିବହନକାରୀ କମ୍ପାନି ଏପ୍ରିଲ୍ ୧୪ ପରେ ଯାତ୍ରା ପାଇଁ ବୁକିଂ ଆରମ୍ଭ କରିଥିଲେ | କିନ୍ତୁ ଏୟାର ଇଣ୍ଡିଆ ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ କୌଣସି ବୁକିଂ ନକରିବାକୁ ନିଷ୍ପତ୍ତି ନେଇଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ମେ ୪ ଏବଂ ଜୁନ୍ ୧ ରୁ ବୁକିଂ ଆରମ୍ଭ କରିବାକୁ ଘୋଷଣା କରିଛି। ଏୟାର ଇଣ୍ଡିଆ ପୂର୍ବରୁ ଇଣ୍ଡିଗୋ ମଧ୍ୟ ମେ ୪ରୁ ପର୍ଯ୍ୟାୟକ୍ରମେ ଉଡ଼ାଣ ଆରମ୍ଭ କରିବ ବୋଲି ଘୋଷଣା କରିଥିଲା |

ସମ୍ବନ୍ଧିତ ଖବର