ମୁମ୍ବାଇ: ଯୌନ ଉତ୍ପୀଡ଼ନର ସରବ୍ୟ ହୋଇଛନ୍ତି ବୋଲି ଜଣେ ମହିଳା ପାଇଲଟ୍ଙ୍କ ଠାରୁ ଅଭିଯୋଗ ପାଇବା ପରେ ଏୟାର୍ ଇଣ୍ଡିଆ ଜଣେ ବରିଷ୍ଠ କ୍ୟାପଟେନ୍ ବିରୋଧରେ ତଦନ୍ତ ଆରମ୍ଭ କରିଛି।
ଏୟାର୍ ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ ଏୟାର୍ଲାଇନ୍ ମ୍ୟାନେଜ୍ମେଣ୍ଟକୁ କରିଥିବା ଅଭିଯୋଗରେ ମହିଳା ପାଇଲଟ୍ଜଣକ ଦର୍ଶାଇଛନ୍ତି ସେ ଅଭିଯୁକ୍ତ ତାଙ୍କୁ କେତୋଟି ଅସଭ୍ୟ ପ୍ରଶ୍ନ ପଚାରିଛନ୍ତି।
ସେ ଲେଖିଛନ୍ତି, ଟ୍ରେନିଙ୍ଗ୍ ସେସନ୍ ଶେଷ ହେବା ପରେ ମେ ୫ ତାରିଖ ଦିନ ହାଇଦ୍ରାବାଦର ଗୋଟାଏ ସିଟି ରେସ୍ତୋରାଁରେ ଡିନର୍ ଖାଇବାକୁ ତାଲିମଦାତା କମାଣ୍ଡର୍ ପ୍ରସ୍ତାବ ଦେଇଥିଲେ। ମୁଁ ତାଙ୍କ ସହ ଅଳ୍ପ କେତୋଟି ଉଡ଼ାଣରେ ଯାଇଥିଲି ଏବଂ ସେ ଭଦ୍ର ଜଣାପଡୁଥିଲେ। ସେଥିପାଇଁ ମୁଁ ଏ ପ୍ରସ୍ତାବରେ ରାଜି ହୋଇଗଲି। ରାତି ପ୍ରାୟ ୮ଟା ବେଳେ ଆମେ ରେସ୍ତୋରାଁକୁ ଯିବା ପରେ ହିଁ ଉତ୍ପୀଡ଼ନ ଆରମ୍ଭ ହେଲା।
ତାଙ୍କ ଦାମ୍ପତ୍ୟ ଜୀବନ ବିଷାଦଗ୍ରସ୍ତ ଏବଂ ଅସୁଖୀ ବୋଲି ସେ କହିବା ଆରମ୍ଭ କଲେ। ଦୂରରେ ଥାଇ ମୁଁ ସ୍ୱାମୀଙ୍କୁ କିଭଳି ସହଯୋଗ କରିପାରୁଛି ବୋଲି ସେ ପ୍ରଶ୍ନ କରିଥିଲେ। ଏବଂ ପ୍ରତିଦିନ ତାଙ୍କର ସ୍ୱାମୀ ସହଚର୍ଯ୍ୟ ଲୋଡ଼ା ହେଉଛି ନା ନାହିଁ ପଚାରି ଥିଲେ। ମଝିରେ ମୁଁ ତାଙ୍କୁ କହିଲି କି, ଏ ସବୁ କଥା କହିବାକୁ ମୁଁ ଚାହୁଁନି ଏବଂ ସେଠାରେ ଚାଲିଯିବାକୁ ଗୋଟାଏ କ୍ୟାବ୍ ଡକାଇଲି। ମୁଁ କ୍ୟାବ୍କୁ ଅପେକ୍ଷା କରିଥିବା ଅଧଘଣ୍ଟା ସମୟ ମଧ୍ୟରେ ତାଙ୍କର ବ୍ୟବହାର ଶାଳୀନତାର ସୀମା ଉଲ୍ଲଂଘନ କରିଥିଲା।
ଏ ସଂକ୍ରାନ୍ତରେ ଏୟାର୍ଲାଇନ୍ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଥିବା କଥା ମୁଖପାତ୍ର କହିଛନ୍ତି।