ଏୟାର ଇଣ୍ଡିଆ ବିମାନରେ ଅଘଟଣ ଟଳିଲା: ୩୫ ହଜାର ଫୁଟ ଉଚ୍ଚରେ ‘ହଟ୍‌ ବ୍ରେକ୍‌ ଓ୍ଵାର୍ଣ୍ଣିଂ’

ବିମାନକୁ ୧୦ ହଜାର ଫୁଟ ତଳକୁ ଆଣିଲେ ପାଇଲଟ୍‌

ନୂଆଦିଲ୍ଲୀ: କୁଏତରୁ ଗୋଆ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନର ପାଇଲଟଙ୍କୁ ୩୫ ହଜାର ଫୁଟ ଉଚ୍ଚତାରେ ‘ହଟ୍‌ ବ୍ରେକ୍‌ ଓ୍ଵାର୍ଣ୍ଣିଂ’ ମିଳିଥିଲା। ଏହାପରେ ପାଇଲଟ ବିମାନକୁ ୧୦ ହଜାର ଫୁଟ ତଳକୁ ଆଣିଥିଲେ। ବିମାନ ତଳକୁ ଆଣିବା ପରେ ଗରମ ହୋଇଯାଇଥିବା ଗିୟରକୁ ଥଣ୍ଡା କରିବାରେ ସଫଳତା ମିଳିଥିଲା। ଏୟାର ଇଣ୍ଡିଆ ଏହି ଘଟଣାର ଏବେ ତଦନ୍ତ ଆରମ୍ଭ କରିଛି। ସେପ୍‌୍‌ଟେମ୍ବର ୧୪-୧୫ରେ ଏହା ଘଟିଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆର ଫ୍ଲାଇଟ୍‌ ଏ-୩୨୦ ନିଜର ୪.୫ ଘଣ୍ଟାର ଯାତ୍ରା ଅବଧିରୁ ୧ ଘଣ୍ଟା ସଂପୂର୍ଣ୍ଣ କରିସାରିଥିଲା। ହଟ୍‌୍‌ ବ୍ରେକ୍‌ ଓ୍ଵାର୍ଣ୍ଣିଂ ମିଳିବା ପରେ ବିମାନର ପାଇଲଟ କିଛି ମିନିଟ୍‌ ଏହାକୁ କମ୍‌ ଉଚ୍ଚତାରେ ଉଡ଼ାଇଥିଲେ ଏବଂ ଏହାପରେ ବିମାନର ଗିୟର ସ୍ୱାଭାବିକ ହେବାରୁ ଏହାକୁ ଯଥାରୀତି ନିର୍ଦ୍ଧାରିତ ଉଚ୍ଚତାରେ ଉଡ଼ାଇ ଥିଲେ। ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପାଇଲଟ ଏହି ଘଟଣାର ସୂଚନା ଲାଣ୍ଡିଂ ହେବାପରେ ଦେଇଥିଲେ। ଏୟାର ଇଣ୍ଡିଆ ଏବେ ଏହି ଘଟଣାର ଯାଞ୍ଚ କରୁଛି। ତେବେ ପାଇଲଟ ଏ କ୍ଷେତ୍ରରେ ସମସ୍ତ ସତର୍କତା ଅବଲମ୍ବନ କରିଥିଲେ ଏବଂ ନିଜେ ଏ ସଂପର୍କରେ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିବାରୁ ତାଙ୍କର ଏହି ପଦକ୍ଷେପକୁ ସମର୍ଥନ କରାଯାଇଛି।

ସମ୍ବନ୍ଧିତ ଖବର