ଅହମଦାବାଦ: ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହାର ଲାଇଭ୍ ଫଟୋ ଓ ଭିଡିଓ ଛାତି ଥରାଇଲା ଭଳି। ଏହି ବିମାନରେ ୨୪୨ଜଣ ଥିଲେ, ଯେଉଁଥିରେ ୧୨ଜଣ କ୍ରୁ ସଦସ୍ୟ ଏବଂ ୨୩୦ଜଣ ଯାତ୍ରୀ ଥିଲେ। ଘଟଣାର କିଛି ସମୟ ପରେ, ଏୟାର ଇଣ୍ଡିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହା ବିଷୟରେ ସୂଚନା ଦେଇଥିଲା।
କୁହାଯାଉଛି ଯେ, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ବୋଇଂର ୭୮୭ଡ୍ରିମଲାଇନର ସାମିଲ ଥିଲା। ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ପୂର୍ବରୁ ବୋଇଂର ଅନେକ ବିମାନଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨୦୨୪ମସିହାରେ, ଦକ୍ଷିଣ କୋରିଆରେ ଏକ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପ୍ରାୟ ୧୮୦ଜଣ ପ୍ରାଣ ହରାଇଥିଲେ। ଏଥିରେ ବୋଇଂର ୭୩୭-୮୦୦ ବିମାନ ଅନ୍ତର୍ଭୁକ୍ତ ଥିଲା, ଯାହା ୭୩୭ମ୍ୟାକ୍ସର ଏକ ନୂତନ ସଂସ୍କରଣ।
୨୦୧୮ ଏବଂ ୨୦୧୯ରେ ବୋଇଂ ୭୩୭ ମ୍ୟାକ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଲାୟନ ଏୟାର ଫ୍ଲାଇଟ୍ ୬୧୦ ଏବଂ ଇଥିଓପିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ୩୦୨ ଅନ୍ତର୍ଭୁକ୍ତ। ଏହି ଦୁର୍ଘଟଣା ପାଇଁ ବୋଇଂର ଏହି ବିମାନ ଚଳାଚଳକୁ ରୋକାଯାଇଥିଲା, ଯାହାଦ୍ବାରା କମ୍ପାନିକୁ ୩୦ ବିଲିୟନ ଡଲାର ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡିଥିଲା। ୨୦୧୮ ଏବଂ ୨୦୧୯ ଦୁର୍ଘଟଣାରେ ୧୮୯ ଏବଂ ୧୫୭ ଜଣ ପ୍ରାଣ ହରାଇଥିଲେ।
ସରକାରୀ ତଥ୍ୟ ଅନୁଯାୟୀ, ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ପୂର୍ବରୁ, ବୋଇଂର ପ୍ରାୟ ୬୦୦୦ବିମାନ ଦୁର୍ଘଟଣାର ଶିକାର ହୋଇସାରିଛି, ଯେଉଁଥିରୁ ୪୧୫ଟି ଭୟାବହ ଥିଲା। ଏହି ଦୁର୍ଘଟଣାରେ ୯,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ସାରା ବିଶ୍ୱରେ ଉଡ଼ୁଥିବା ହଜାର ହଜାର ଯାତ୍ରୀବାହୀ ବିମାନ ମଧ୍ୟରୁ ଅତି କମରେ ୪,୦୦୦ ହେଉଛି ବୋଇଂ ୭୩୭-୮୦୦। ଏସିଆ, ୟୁରୋପ ଏବଂ ଉତ୍ତର ଆମେରିକାରେ ବୋଇଂ ବିମାନ ବ୍ୟବହାର କରାଯାଏ।