ନୂଆଦିଲ୍ଲୀ: ଅହମଦାବାଦରେ ଏଆଇ-୧୭୧ର ଭୟଙ୍କର ଦୁର୍ଘଟଣାରେ ସମଗ୍ର ଦେଶ ସ୍ତବ୍ଧ ହେବାର ମାତ୍ର ଦୁଇ ଦିନ ପରେ ଦିଲ୍ଲୀ ବିମାନ ବନ୍ଦରରୁ ଭିଏନା ଅଭିମୁଖେ ଉଡ଼ାଣ ଭରିଥିବା ଏୟାର୍ ଇଣ୍ଡିଆର ଏକ ବିମାନ ମଝି ଆକାଶରେ କିଛି ବୈଷୟିକ ତ୍ରୁଟି ଦେଖାଦେବାରୁ ୯୦୦ ଫୁଟ୍ ତଳକୁ ଖସିଥିଲା। ଫ୍ଲାଇଟ୍ ଟ୍ରାକିଂ ୱେବ୍‌ସାଇଟ୍ ଅନୁଯାୟୀ, ଜୁନ୍ ୧୪ ତାରିଖ ରାତି ୨ଟା ୫୬ ମିନିଟ୍‌ରେ ବିମାନଟି ଉଡ଼ାଣ ଭରିଥିଲା। ସେହି ସମୟରେ ଦିଲ୍ଲୀରେ ପ୍ରବଳ ଝଡ଼ ତୋଫାନ ସହ ପାଗ ଖରାପ ରହିଥିଲା।

Advertisment

ଉଡ଼ାଣ ଭରିବାର କିଛି ମିନିଟ୍ ମଧ୍ୟରେ ବିମାନଟି ପ୍ରାୟ ୯୦୦ ଫୁଟ୍ ତଳକୁ ଖସିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ସୃଷ୍ଟି ହୋଇଥିଲା। ଠିକ୍ ସମୟରେ ପାଇଲଟଙ୍କ ପଦକ୍ଷେପ ଯୋଗୁଁ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ପରେ ବିମାନଟି ଭିଏନାରେ ସୁରକ୍ଷିତ ଅବତରଣ କରିଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ବିମାନର ବ୍ଲାକ୍‌ବକ୍ସ ଉଦ୍ଧାର କରାଯାଇ ବିମାନର ବିବରଣୀ ସମ୍ପର୍କରେ ଡିଜିସିଏକୁ ସୂଚନା ପ୍ରଦାନ କରାଯାଇଥିଲା। ସେପଟେ ତଦନ୍ତ ସରିବା ପର୍ଯ୍ୟନ୍ତ ପାଇଲଟଙ୍କ ଉଡ଼ାଣ ଉପରେ କଟକଣା ଜାରି କରିଛି ନିୟାମକ ସଂସ୍ଥା। ଏଆଇ-୧୭୧ ଅହମଦାବାଦ ଦୁର୍ଘଟଣାର ମାତ୍ର ୪୦ ଘଣ୍ଟା ପରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।