ଏୟାର ଇଣ୍ଡିଆର ବିକ୍ରୟ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ବିପୁଳ କ୍ଷତିରେ ଚଲୁଥିବା ଏୟାର ଇଣ୍ଡିଆ (ଏଆଇ)କୁ ବିକ୍ରୟ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଉଦ୍ଦେଶ୍ୟରେ ସରକାର ଏୟାର ଇଣ୍ଡିଆ (ଏଆଇ)କୁ ଅଲଗା ଅଲଗା ଚାରିଟି ଭାଗରେ ବିଭକ୍ତ କରି ଦେଇଛନ୍ତି। ସେଗୁଡ଼ିକ ହେଲା: ଏଆଇ-ଏଆଇ ଏକ୍ସପ୍ରେସ-ଏଆଇ ଏସ୍‌ଏଟିଏସ୍‌; ଗ୍ରାଉଣ୍ଡ ହାଣ୍ଡଲିଂ ୟୁନିଟ; ଇଞ୍ଜିନିୟରିଂ ୟୁନିଟ ଏବଂ ଆଲାଏନ୍ସ ଏୟାର। ଏସମସ୍ତ ବିଭାଗ ଅଲଗା ଅଲଗା ଭାବେ ବିକ୍ରୟ ହେବ।


‘ଏୟାର ଇଣ୍ଡିଆର ମୁଖ୍ୟ ବିଭାଗ ଏୟାରଲାଇନ୍‌ ଆର୍ମ ବିକ୍ରୟ ପାଇଁ ନିଲାମ ଦସ୍ତାବିଜ୍‌ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପ୍ରସ୍ତୁତ ହୋଇଯିବ। ଏବଂ ପରବର୍ତ୍ତୀ ପର୍ଯାୟରେ ଅନ୍ୟ ବିଭାଗଗୁଡ଼ିକର ବିକ୍ରୟ ପାଇଁ ଦସ୍ତାବିଜ୍‌ ପ୍ରସ୍ତୁତ ହେବ’ ବୋଲି ସରକାରଙ୍କର ଜନୈକ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ଏୟାର ଇଣ୍ଡିଆର ଋଣର ପରିମାଣ ୭୦ ହଜାର କୋଟି ଟପି ଯାଇଥିବା ବେଳେ ସରକାର ଏହାକୁ ବିକ୍ରୟ କରିଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଇଣ୍ଡିଗୋ, ଟାଟା ସନ୍‌ସ- ସିଙ୍ଗାପୁର ଏୟାରଲାଇନ୍‌ସ (ଏସ୍‌ଆଇଏ) ଜେଭି ଭିସ୍ତରା ପ୍ରମୁଖ ଇଣ୍ଡିଆନ୍‌ ଏୟାରଲାଇନ୍‌ସକୁ କିଣିବା ପାଇଁ ଆଗ୍ରହୀ ଥିବା ଜାଣିବାକୁ ମିଳିଛି। ଅନ୍ୟପକ୍ଷରେ ଏକ ବିଦେଶୀ କଂପାନି ମଧ୍ୟ ଇଣ୍ଡିଆନ୍‌ ଏୟାରଲାଇନ୍‌ସର ମାଲିକାନାକୁ ସରକାରଙ୍କ ଅଧୀନରେ ରଖିବା ସହ ଏହାର ୪୯ ପ୍ରତିଶତ ଅଂଶଧନ କିଣିନେଇ ଇଣ୍ଡିଆନ୍‌ ଏୟାରଲାଇନ୍‌ସକୁ ଚଳାଇବ ବୋଲି ପ୍ରସ୍ତାବ ଦେଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର