ହାଇଦ୍ରାବାଦ୍‌ ବିମାନବନ୍ଦରରେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଦ୍ୱାରା ଅସଦାଚରଣର ଶିକାର ହେଲେ ଇଟାଲୀୟ ଡିଜେ, ଭିଡ଼ିଓ ସେୟାର କରି ଜଣାଇଲେ ପୂରା ଘଟଣା

ହାଇଦ୍ରାବାଦ୍‌ : ପୂର୍ବରୁ ବିମାନ କର୍ମଚାରୀଙ୍କଦ୍ୱାରା ଯାତ୍ରୀମାନେ ଅସଦାଚରଣର ଶିକାର ହେବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ବିମାନ କମ୍ପାନୀ ତରଫରୁ କର୍ମଚାରୀମାନଙ୍କୁ ତାଗିଦ୍‌ କରାଯାଉଥିଲେ ମଧ୍ୟ ଏ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ହାଇଦ୍ରାବାଦ୍‌ ବିମାନନ୍ଦରରେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଦ୍ୱାରା ଜଣେ ଇଟାଲୀୟ  ଡିଜେ  ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଅଗଷ୍ଟ ୧୯ରେ ଏହି ଘଟଣା ଘଟିଥିବା ବେଳେ ଇଟାଲୀୟ ଡ଼ିଜେ ଓଲି ଏସ୍ସେ ଏହାର ଭିଡ଼ିଓ ପୋଷ୍ଟ କରି ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି । ଏଥି ସହ ତାଙ୍କ ସହିତ ହୋଇଥିବା ଅସଦାଚରଣର ଅଭିଯୋଗ ସେ କରିଥିବା ବେଳେ ପୁଲିସ କୌଣସି ପଦକ୍ଷପ ନେଇ ନ ଥିବା ଅଭିଯୋଗ କରିଛନ୍ତି ଓଲି । ପୁଲିସ ଷ୍ଟେସନକୁ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ସେଠାରେ ଇନ୍‌ସ୍ପେକ୍ଟର ନ ଥିବାରୁ ତାଙ୍କ କଥା କେହି ଶୁଣି ନଥିବା ଓଲି କହିଛନ୍ତି ।

‘ମୁଁ ଯେଉଁ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିଲେ ସେ ବିମାନଟି ୯ଘଣ୍ଟା ବିଳମ୍ବ ଥିଲା । ଏ ନେଇ ମୁଁ ଏୟାର ଇଣ୍ଡିଆ କାଉଣ୍ଟରକୁ ଯାଇ ସେଠାରେ ବସିଥିବା ମହିଳା କର୍ମଚାରୀଙ୍କୁ ଏ ନେଇ ପଚାରିବା ପରେ ସେ ମୋ କଥାକୁ ନ ଶୁଣିବା ପରି ସେଠାରେ ଠିଆ ହୋଇ ରହିଥିଲେ । ଯେତେବେଳେ ମୁଁ ଦ୍ୱିତୀୟ ଥର ପଚାରିଲି ସେତେବେଳେ ସେଇଟା ମୋ କାମ ନୁହଁ ବୋଲି ମହିଳା କର୍ମଚାରୀ ଜଣଙ୍କ ରାଗରେ ଉତ୍ତର ଦେଇଥିଲେ । ଏହା ସହ ଯେତେବେଳେ ମୁଁ ଏହାର ଭିଡ଼ିଓ କରିବାକୁ ଚେଷ୍ଟା କରିଥିଲି କର୍ମଚାରୀ ଜଣଙ୍କ ମୋତେ ଚାପୁଡ଼ା ମାରିଥିଲେ।” ଓଲି ଭିଡ଼ିଓରେ ଏହା କହିଥିବା ଦେଖା ଯାଇଛି । ଅନ୍ୟ ପକ୍ଷରେ “ବିମାନ କର୍ମଚାରୀଙ୍କର ଭିଡ଼ିଓ ବନାଇବା ବେଆଇନ । ଯାହା ଓଲିଙ୍କୁ ଏୟାର ଇଣ୍ଡିଆର ମହିଳା କର୍ମଚାରୀ ବୁଝାଉଥିବା ବେଳେ ଓଲିଙ୍କ ହାତରୁ ଫୋନ ଖସି ପଡ଼ିଥିଲା । ଯାହାକୁ ଓଲି ତାଙ୍କୁ ଚାପୁଡ଼ା ମରାଯାଇଛି ବୋଲି ସଫେଇ ଦେଇଛନ୍ତି” ବୋଲି କହୁଥିବା କହିଛି ଏୟାର ଇଣ୍ଡିଆ । ଏହା ସହ ବିମାନବନ୍ଦରରେ ନିୟୋଜିତ ହୋଇଥିବା ଇନ୍‌ସ୍ପେକ୍ଟର ଓଲିଙ୍କୁ କ୍ଷମା ମାଗିବା ସହ ଯଦି ଓଲି ଅଭିଯୋଗ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ଅଭିଯୋଗ ରଖାଯିବ ବୋଲି ସେ କହିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର