ନୂଆଦିଲ୍ଲୀ: ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରେ ଅଟକି ରହିଥିବା ଭାରତୀୟମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ଏୟାର୍‌ ଇଣ୍ଡିଆ ୪ଟି ବିମାନ ଚଳାଚଳ ଆରମ୍ଭ କରିଛି। ଆଜି ୟୁକ୍ରେନ୍‌ ଆକ୍ରମଣ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ରୁଷୀୟ ସେନା ‌ୟୁକ୍ରେନ୍‌ର ରାଜଧାନୀ କିଏଭ୍‌ର ନିକଟତର ହେଉଛି। ସେ ଅଞ୍ଚଳରେ ଏବେ ଘମାଘୋଟ ଲଢ଼େଇ ଚାଲୁ ରହିଛି।

Advertisment

ଏୟାର୍‌ ଇଣ୍ଡିଆର ୨ଟି ବିମାନ ୟୁକ୍ରେନ୍‌ ସୀମାନ୍ତକୁ ଲାଗିଥିବା ରୋମାନିଆକୁ ଏବଂ ଗୋଟିଏ ହଙ୍ଗେରିକୁ ପଠାଯିବ। ବାକି ଆଉ ଗୋଟିଏ ବିମାନ ଜନସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରି ସାରିଛି।

ସଦ୍ୟତମ ସୂଚନା ଅନୁସାରେ, ଆଜି ପାହାନ୍ତା ୩.୪୦ରେ ମୁମ୍ବାଇ ବିମାନ ବନ୍ଦରରୁ ଏୟାର୍‌ ଇଣ୍ଡିଆର ଫ୍ଲାଇଟ୍‌ ନମ୍ବର ଏଆଇ୧୯୪୩ ଉଡ଼ାଣ ଆରମ୍ଭ କରିଛି ଏବଂ ସକାଳ ୧୦ ସୁଦ୍ଧା ବୁକରେଷ୍ଟ୍‌ରେ ପହଞ୍ଚିଯିବ। ସେଠାରୁ ଭାରତୀୟ ନାଗରିକମାନଙ୍କୁ ନେଇ ବିମାନଟି ଅପରାହ୍ଣ ୪ଟାରେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଯିବ।

publive-image Image Courtesy of The Economic Times

ୟୁକ୍ରେନ୍‌ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ପାର୍ଥ ଶତପଥୀ କହିଛନ୍ତି, ଭାରତ ସରକାର ସମ୍ପୂର୍ଣ୍ଣରୂପେ ଏ ପ୍ରସଙ୍ଗ ଉପରେ ବିଚାର ଆଲୋଚନା କରୁଛନ୍ତି। ପ୍ରତ୍ୟେକ ଭାରତୀୟ ସ୍ବଦେଶ ଫେରିବେ। ବିମାନ ସବୁ ପ୍ରସ୍ତୁତି କରାଉଛି। କର୍ମଚାରୀମାନେ ବି ପ୍ରସ୍ତୁତ ଅଛନ୍ତି। କିନ୍ତୁ, ଯୁଦ୍ଧାଞ୍ଚଳ ହୋଇଥିବାରୁ ଅସୁବିଧା ହେଉଛି। ଯିବା ପାଇଁ ଆମକୁ ଯୋଜନା କରିବା ସହ ୟୁକ୍ରେନ୍‌ର ପଶ୍ଚିମାଞ୍ଚଳରେ ପହଞ୍ଚିବାକୁ ଉପାୟ କରିବାକୁ ପଡ଼ିବ।

ସଦ୍ୟତମ ବିବୃତିରେ ୟୁକ୍ରେନ୍‌ସ୍ଥିତ ଭାରତୀୟ ଦୂତାବାସ କହିଛି, ବର୍ଡର୍‌ ପୋଷ୍ଟ୍‌ରେ ଥିବା ଭାରତ ସରକାରଙ୍କ ଅଧିକାରୀମାନଙ୍କ ସହ ପ୍ରଦତ୍ତ ହେଲ୍‌ପ୍‌ଲାଇନ୍‌ଦ୍ବାରା ନ କରି ଆଗରୁ ଯୋଗସୂତ୍ର ସ୍ଥାପନ ଏବଂ କିଏଭ୍‌ସ୍ଥିତ ଭାରତୀୟ ଦୂତାବାସର ଜରୁରୀକାଳୀନ ନମ୍ବରରେ ଯୋଗସୂତ୍ରସ୍ଥାପନ ନ କରି କ‌ୌଣସି ବର୍ଡର୍‌ ପୋଷ୍ଟ୍‌କୁ ନ ଯିବା ପାଇଁ ସମସ୍ତ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯାଉଛି।