ପୁଣି ଟାଟା ହାତକୁ ଫେରିବ କି ଏୟାର ଇଣ୍ଡିଆ? ଟେଣ୍ଡର ଶେଷ ତାରିଖରେ ବିଡ ଦାଖଲ କଲା ଟାଟା ସନ୍ସ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବିକ୍ରୟ ଦିଗରେ କେନ୍ଦ୍ର ସରକାର ଆଉ ପାଦେ ବଢ଼ିଛନ୍ତି | ସରକାର କହିଛନ୍ତି ଯେ ଟାଟା ସନ୍ସ ସମେତ ଅନେକ କମ୍ପାନୀ ଏୟାର ଇଣ୍ଡିଆକୁ କିଣିବା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଛନ୍ତି | ଟେଣ୍ଡର ପାଇଁ ଶେଷ ତାରିଖ ଆଜି (ସେପ୍ଟେମ୍ବର ୧୫) ଥିବାବେଳେ ବିଡରଙ୍କ ମଧ୍ୟରେ ଟାଟା ସନ୍ସ ମଧ୍ୟ ରହିଛି । ଟାଟା ସନ୍ସ ମୁଖପାତ୍ର କହିଛନ୍ତି ଯେ ଏୟାର ଇଣ୍ଡିଆ ପାଇଁ ବିଡ୍ ଦାଖଲ କରାଯାଇଛି। ସ୍ପାଇସଜେଟର ପ୍ରମୋଟର୍ ଅଜୟ ସିଂ ମଧ୍ୟ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର ବିଡ ଦାଖଲ କରିଛନ୍ତି। ସୂଚନା ଥାଉ କି ଯେ ଜେଆରଡ଼ି ଟାଟା ୧୯୩୨ ମସିହାରେ ଟାଟା ଏୟାର ସର୍ଭିସେସ୍ ଆରମ୍ଭ କରିଥିଲେ, ଯାହା ପରେ ଟାଟା ଏୟାରଲାଇନ୍ସ ହୋଇଥିଲା |

୨୯ ଜୁଲାଇ ୧୯୪୬ ରେ ଏହା ଏକ ପବ୍ଲିକ ଲିମିଟେଡ଼ କମ୍ପାନୀ ହୋଇଥିଲା | ୧୯୫୩ ମସିହାରେ, ସରକାର ଟାଟା ଏୟାରଲାଇନ୍ସ ହାସଲ କଲେ ଏବଂ ଏହା ଏକ ସରକାରୀ କମ୍ପାନୀ ହେଲା | ଏବେ ପୁଣି ଥରେ ଟାଟା ଗ୍ରୁପ୍ ର ଟାଟା ସନ୍ସ ଏହି ବିମାନ ସେବା ପ୍ରତି ଆଗ୍ରହ ଦେଖାଇଛି | ଅର୍ଥାତ୍ ପ୍ରାୟ ୭୦ ବର୍ଷ ପରେ ପୁଣି ଥରେ ଏୟାର ଇଣ୍ଡିଆ ଟାଟା ଗ୍ରୁପକୁ ଯିବାର ଆଶା କରାଯାଉଛି। ଅନ୍ୟପଟେ ସରକାର କହିଛନ୍ତି ଯେ ଏୟାର ଇଣ୍ଡିଆକୁ କିଣିବା ପାଇଁ ଅନେକ ଆର୍ଥିକ ବିଡ୍ ଗ୍ରହଣ କରାଯାଇଛି। ଇନଭେଷ୍ଟମେଣ୍ଟ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ ତୁହିନକାନ୍ତ ପାଣ୍ଡେ ଟ୍ୱିଟରରେ ଲେଖିଛନ୍ତି ଯେ ଏୟାର ଇଣ୍ଡିଆର ବିକ୍ରି ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି।

ଉଲ୍ଲେଖ ଥାଉ କି ଏୟାର ଇଣ୍ଡିଆ ଉପରେ ଋଣ ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ଋଣ ଟଙ୍କା ୪୩,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି | ଏୟାର ଇଣ୍ଡିଆ ଏହି ସମସ୍ତ ଋଣ ଭାରତ ସରକାରଙ୍କ ଗ୍ୟାରେଣ୍ଟି ଉପରେ ନେଇଛି। ଯେଉଁଥିପାଇଁ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି । ସୂଚନାନୁସାରେ, ଏହି ଡିଲରେ କେବଳ ଏୟାର ଇଣ୍ଡିଆ ବିମାନ ବିକ୍ରି ହେବ ନାହିଁ, ବରଂ ମୁମ୍ବାଇରେ ଏୟାର ଇଣ୍ଡିଆ ବିଲଡିଂ, ଦିଲ୍ଲୀର ଏୟାରଲାଇନ୍ସ ହାଉସ ସମେତ ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟ ଏହି ଡିଲ ର ଅଂଶ ହେବ। ଏହା ସହିତ ଦିଲ୍ଲୀର କନ୍ନାଟ୍ ପ୍ଲେସରେ ଚାରି ଏକର ଜମି, ଦିଲ୍ଲୀ-ମୁମ୍ବାଇ ଏବଂ ଅନ୍ୟାନ୍ୟ ସହରରେ କର୍ମଚାରୀଙ୍କ ପାଇଁ ଥିବା ହାଉସିଂ ସୋସାଇଟି ମଧ୍ୟ ବିକ୍ରି ହେବ |

ସମ୍ବନ୍ଧିତ ଖବର