ଠିକ୍ ସମୟରେ ହ୍ବିଲ୍ ଚେୟାର ଯୋଗାଇ ନପାରିବା ଏୟାର ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ; ଅବହେଳା ପାଇଁ ଗଣିବ ୨୦ ଲକ୍ଷର ତଣ୍ଡ
ବେଙ୍ଗାଲୁରୁ: ଦୁଇଜଣ ମହିଳା ଦିିବ୍ୟାଙ୍ଗ ବିମାନ ଯାତ୍ରୀଙ୍କୁ ଠିକ୍ ସମୟରେ ହ୍ବିଲ୍ ଚେୟାର ଯୋଗାଇ ନ ପାରିବା ଘଟଣା ଏୟାର ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଟିକେଟ ବୁକ୍ କରିବା ସମୟରେ ବିମାନ ବନ୍ଦରରେ ହ୍ବିଲ୍ ଚେୟାର ଯୋଗାଇ ଦେବା ପାଇଁ ଦେୟ ଭରିଥିଲେ ମଧ୍ୟ ଏହି ଦୁଇ ଦିବ୍ୟାଙ୍ଗ ମହିଳା ଯାତ୍ରୀଙ୍କୁ ହ୍ବିଲ୍ ଚେୟାର ଯୋଗାଇ ନ ପାରି ସେମାନଙ୍କୁ ଅଯଥା ମାନସିକ ଯନ୍ତ୍ରଣା ଦେଇଥିବାରୁ ଏବେ ସେମାନଙ୍କୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ଆଜି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ ଦିବ୍ୟାଙ୍ଗ ମହିଳା ଏସ୍ ଜେ ରାଜଲକ୍ଷ୍ମୀ ଓ ତାଙ୍କର ୬୩ ବର୍ଷ ବୟସ୍କା ଦିବ୍ୟାଙ୍ଗ ମାତା ଏସ୍ ଶୋଭା ଲଣ୍ଡନ ଗସ୍ତ ଉଦ୍ଦେଶ୍ୟରେ ଏୟାର ଇଣଣ୍ଡିଆରେ ଟିକେଟ ବୁକ୍ କରିଥିଲେ। ଟିକେଟ ବୁକିଂ କରିବା ସମୟରେ ହିଥ୍ରୋ ବିମାନ ବିମାନ ବନ୍ଦରରେ ସେମାନଙ୍କୁ ଦୁଇଟି ହ୍ବିଲ୍ ଚେୟାର ଯୋଗାଇ ଦେବା ପାଇଁ ସେମାନେ ଏୟାର ଇଣ୍ଡିଆକୁ ଅନୁରୋଧ କରିବା ସହ ଏବାବଦ ଦେୟ ମଧ୍ୟ ପୈଠ କରିଥିଲେ। ହେଲେ, ବିଡ଼ମ୍ବନା ଏହି ଦୁଇ ଦିବ୍ୟାଙ୍ଗ ମହିଳା େଯତେବେଳେ ଏୟାର ଇଣ୍ଡିଆ ବିମାନରେ ଯାଇ ହିଥ୍ରୋ ବିମାନ ବନ୍ଦରରେ ଓହ୍ଲାଇଲେ ସେତେବେଳେ ସେଠାରେ ସେମାନଙ୍କୁ ହ୍ବିଲ୍ ଚେୟାର ଯୋଗାଇ ଦେବାରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବିଫଳ ହୋଇଥିଲେ। ଯାହାଫଳରେ ସେମାନଙ୍କୁ ବହୁବିଧ ଅସୁବିଧାର ସମ୍ମୁଖୀନ ହେବା ସହ ବହୁ ମାନସିକ ଯନ୍ତ୍ରଣା ମଧ୍ୟ ଭୋଗ କରିବାକୁ ପଡ଼ିଥିଲା।
ଭାରତ ଫେରିବା ପରେ ଏମାନେ କର୍ଣ୍ଣାଟକ ହାଇକୋର୍ଟରେ ଏୟାର ଇଣ୍ଡିଆର ଏତାଦୃଶ ଅବହେଳା ବିରୋଧରେ ଏକ ମାମଲା ଆଗତ କରିଥିଲେ। କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବି ବୀରପ୍ପା ଆଜି ଏହି ମାମଲାର ଶୁଣାଣି କରି ସଂପୃକ୍ତ ଦୁଇଜଣ ମହିଳା ଦିବ୍ୟାଙ୍ଗ ଯାତ୍ରୀଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।