ରୋମରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଆଜି ବିମାନ ପଠାଇବ ଏୟାର୍ ଇଣ୍ଡିଆ

ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟ ସମୟରେ ରୋମରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବାକୁ ଏୟାର୍ ଇଣ୍ଡିଆ ଶନିବାର ଅପରାହ୍ଣରେ ଏକ ୭୮୭ ଡ୍ରିମଲାଇନର୍ ବିମାନ ପଠାଇବ।

ମାର୍ଚ ୨୨ ତାରିଖରୁ ସପ୍ତାହେଯାଏଁ ଭାରତରେ କୌଣସି ଆନ୍ତର୍ଜାତିକ ବିମାନ ଅବତରଣ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଗୁରୁବାର ଦିନ କେନ୍ଦ୍ର ସରକାର ବିବୃତି ଦେଇଥିଲେ।

ଆଜି ଅପରାହ୍ଣ ୨:୩୦ରେ ଏହି ବିମାନ ଦିଲ୍ଲୀ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବ ବୋଲି ଏୟାର ଇଣ୍ଡିଆର ଜନୈକ କର୍ମଚାରୀ କହିଛନ୍ତି।

Image Source: India Today

ରୋମରେ ଅଟକି ରହିଥିବା ସମସ୍ତ ଭାରତୀୟଙ୍କୁ ଧରି ଏହି ବିମାନ ରବିବାର ସକାଳେ ଭାରତରେ ପହଞ୍ଚିବ।

ମାର୍ଚ ୨୨ ତାରିଖରୁ ଭାରତ ସପ୍ତାହକ ଲାଗି ସମସ୍ତ ଆନ୍ତର୍ଜାତିକ ବ୍ୟାବସାୟିକ ବିମାନକୁ ନି‌ଷିଦ୍ଧ କରିଥିବାରୁ ବିଦେଶରେ ଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଭାରତୀୟ ଦୂତାବାସ ଆଡଭାଇଜରି ଜାରି କରିବା ସହ ଜରୁରୀକାଳୀନ ହେଲପଲାଇନ୍ ନମ୍ବର ଜାରି କରିଛି।

କାନାଡା, ଗ୍ରିସ୍, ଫିନଲାଣ୍ଡ୍, ଏସ୍ତୋନିଆ, ଇସ୍ରାଏଲ୍, ଜାପାନ, ଭିଏତନାମ, ବୁଲଗେରିଆ, ଉତ୍ତର ମାସିଡୋନିଆ, ରୁଷ୍, କ୍ୟୁବା, ବ୍ରାଜିଲ୍ ଏବଂ ସୁଇଜରଲାଣ୍ଡ ଠାରେ ଅବସ୍ଥାନ କରୁଥିବା ଭାରତୀୟମାନେ ସ୍ବଦେଶ ଫେରିବାକୁ ଚାହୁଁଥିଲେ ଦୂତାବାସ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

 

ସମ୍ବନ୍ଧିତ ଖବର