ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଜଣେ ପାଇଲଟଙ୍କ ତାଙ୍କ ମହିଳା ସାଙ୍ଗଙ୍କୁ କକପିଟ ଭିତରକୁ ନେବାଯୋଗୁଁ କାର୍ଯ୍ୟାନୁଷ୍ଠାନ ନିଆଯିବାର ମାସକ ପରେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି | ଆଉ ଏବେ ସେମିତି ଏକ ସମାନ ଘଟଣାରେ ଏୟାର ଇଣ୍ଡିଆ ପକ୍ଷରୁ ଦୁଇ ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ମିଳିଥିବା ସୂଚନା ମୁତାବକ ଗତ ସପ୍ତାହରେ ଦିଲ୍ଲୀ-ଲେହ ବିମାନ ଉଡ଼ାଣ ସମୟରେ ଏହି ପାଇଲଟମାନେ କକପିଟକୁ ଜଣେ ମହିଳାଙ୍କୁ ଡାକିଥିଲେ। ଯେଉଁଥିପାଇଁ ଉଭୟ ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଖବର ମୁତାବକ ଏୟାର ଇଣ୍ଡିଆର ବିମାନ ଏଆଇ-୪୪୫ର କ୍ୟାବିନ କୃଙ୍କଠାରୁ ଏନେଇ ଅଭିଯୋଗ ପାଇବା ପରେ ମ୍ୟାନେଜମେଣ୍ଟ ପାଇଲଟ ଏବଂ ସହ-ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | କ୍ୟାବିନ କୃ ଅଭିଯୋଗ କରିଥିଲେ ଯେ ଏହି ଦୁଇ ଜଣ ପାଇଲଟ ସେମାନଙ୍କର ଜଣେ ମହିଳା ବନ୍ଧୁଙ୍କୁ କକପିଟ ଭିତରକୁ ଯିବାକୁ ଅନୁମତି ଦେଇଥିଲେ |

Advertisment

ଏହା ପରେ ଏୟାର ଇଣ୍ଡିଆ ପକ୍ଷରୁ ଦୁଇ ପାଇଲଟଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ 'ଏୟାର ଇଣ୍ଡିଆ ବିସ୍ତୃତ ଅନୁସନ୍ଧାନ ପାଇଁ ଏକ କମିଟି ଗଠନ କରିଛି। ଉଲ୍ଲେଖ ଥାଉ କି ଚଳିତ ବର୍ଷ ଏୟାର ଇଣ୍ଡିଆର ଦୁବାଇ-ଦିଲ୍ଲୀ ବିମାନ ଉଡ଼ାଣ ସମୟରେ ଜଣେ ପାଇଲଟ ତାଙ୍କ ମହିଳା ବନ୍ଧୁଙ୍କୁ କକପିଟ ଭିତରକୁ ଯିବାକୁ ଅନୁମତି ଦେଇଥିଲେ। ଏହି ଘଟଣା ଫେବୃୟାରୀ ୨୭ରେ ଘଟିଥିଲା | ବିମାନର ଜଣେ କ୍ୟାବିନ କ୍ରୁ ସଦସ୍ୟ ଏହି ଘଟଣାକୁ ନେଇ ଡିଜିସିଏ ନିକଟରେ ଅଭିଯୋଗ କରିଥିଲେ ଯେ ପାଇଲଟ ଜଣେ ମହିଳା ବନ୍ଧୁଙ୍କୁ କକପିଟରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ । ଏହାପରେ ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଏୟାର ଇଣ୍ଡିଆ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଡ଼ିଜିସିଏ |