ଏୟାର ଇଣ୍ଡିଆର ବୋର୍ଡିଂ ପାସ୍‌ରେ ନଜର ଆସିଲା ମୋଦିଙ୍କ ଫଟୋ, ବିବାଦ ପରେ ହଟାଇବାର ନିଷ୍ପତ୍ତି ନେଲା ଏୟାରଲାଇନ୍‌

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ବୋର୍ଡିଂ ପାସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ଫଟୋ ଥିବା ଖବର ସାମ୍ନାକୁ ଆସିବା ପରେ, ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏବେ ବଢ଼ୁଥିବା ବିବାଦକୁ ଦେଖି ଏୟାର ଇଣ୍ଡିଆ ପକ୍ଷରୁ ଫଟୋ ହଟାଇବା ନେଇ ନିଷ୍ପତ୍ତି ନିଆ ଯାଇଛି । ବୋର୍ଡିଂ ପାସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ଫଟୋ ରଖିବା ନେଇ, ଏହା ତୃତୀୟ ପକ୍ଷର ବିଜ୍ଞାପନ ଭାବରେ ଜାରି କରାଯାଇଛି । ଯଦି ଏହା ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବ, ତେବେ ଏହାକୁ ହଟାଇ ଦିଆଯିବ ବୋଲି ପୂର୍ବରୁ ବୟାନ ରଖିଥିଲା ଏୟାର ଲାଇନ୍‌ । ଏୟାର ଇଣ୍ଡିଆ ଭାଇବ୍ରାଣ୍ଟ ଗୁଜୁରାଟର ବୋର୍ଡିଂ ପାସ୍‌, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ଫଟୋ ରହିଛି, ତାକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଏୟାର ଇଣ୍ଡିଆର ପ୍ରବକ୍ତା ଧନଞ୍ଜୟ କୁମାର ।

ସୂଚନା ମୁତାବକ, ପଞ୍ଜାବର ପୂର୍ବ ଡିଜିପି ଶଶି କାନ୍ତ ସୋମବାର ନୂଆଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଦିଆ ଯାଇଥିବା ବୋର୍ଡିଂ ପାସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ଫଟୋ ଦେଖି ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଥିଲେ । ବୋର୍ଡିଂ ପାସ୍‌ର ଫଟୋ ଟୁଇଟ୍‌ କରି, ଆଜି ମାର୍ଚ୍ଚ ୨୫, ୨୦୧୯ରେ ମୋତେ ଦିଲ୍ଲୀ ବିମାନବନ୍ଦରରେ ମିଳିଥିବା ବୋର୍ଡିଂ ପାସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ଫଟୋ ଥିବା ଦେଖିଲି । ଆମେ ନିର୍ବାଚନ କମିସନ ଉପରେ କାହିଁକି ଜନତାଙ୍କ ଟଙ୍କା ଖର୍ଚ୍ଚ କରୁଛେ, ଯାହାକୁ ଏ ସବୁ ଦେଖା ଯାଉ ନାହିଁ, ଶୁଣା ଯାଉ ନାହିଁ ବା କହିବାକୁ ପାଟି ନାହିଁ ବୋଲି ଲେଖିଥିଲେ ଶଶି କାନ୍ତ ।

ସମ୍ବନ୍ଧିତ ଖବର