ଭାରତର ନାରୀଶକ୍ତି : ଉତ୍ତରମେରୁ ଉପରେ ଯାତ୍ରା କରି ସୋମବାର ଭାରତରେ ପହଞ୍ଚିବ କେବଳ ମହିଳା କର୍ମଚାରୀଥିବା ଏୟାରଇଣ୍ଡିଆ ବିମାନ

ନୂଆଦିଲ୍ଲୀ : ଭାରତରେ ନାରୀ ସଶକ୍ତିକରଣର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି ଏୟାର ଇଣ୍ଡିଆରେ । ଏହାର ଇଣ୍ଡିଆର ନୂଆକରି ଆରମ୍ଭ ହୋଇଥିବା ସାନ ଫ୍ରାନସିସକୋ-ବାଙ୍ଗାଲୁରୁ ଫ୍ଲାଇଟ (ଫ୍ଲାଇଟ ନଂ ଏଆଇ୧୭୬) ଗତ ଶନିବାର ରାତି ସାଢେ ୮ଟାରେ ଉଡ଼ାଣ ଆରମ୍ଭ କରିଛି । ଏହି ଫ୍ଲାଇଟ ଆସନ୍ତା କାଲି ଅର୍ଥାତ ସୋମବାର ସକାଳ ୩.୪୫ରେ ବାଙ୍ଗାଲୁରୁରେ ପହଞ୍ଚିବ । ତେବେ ଏହି ବିମାନର ବିଶେଷତା ହେଉଛି ଏହାର ସବୁ କ୍ୟାବିନ କ୍ରିୟୁ ଅର୍ଥାତ କର୍ମଚାରୀ ହେଉଛନ୍ତି ମହିଳା । ବିମାନକୁ ମହିଳା ପାଇଲଟ ଚଳାଉଛନ୍ତି ।

ପୁଣି ଏହି ଫ୍ରାନସିସକୋ-ବାଙ୍ଗାଲୁରୁ ଫ୍ଲାଇଟର ଆଉ ଏକ ବିଶେଷତ୍ବ ହେଉଛି ଏହା ବିଶ୍ବର ସବୁଠାରୁ ଦୀର୍ଘତମ ବ୍ୟବସାୟିକ ଫ୍ଲାଇଟ । ଏହା  ଉତ୍ତର ମେରୁ ଉପର ଦେଇ ଉଡ଼ିବ ଓ ଭାରତରେ ପହଞ୍ଚିବ । ଏହି ଯାତ୍ରା ୧୭ ଘଣ୍ଟାରେ ପୂରଣ ହେବ ।

ଏ ସମ୍ପର୍କରେ ଟ୍ବିଟ କରି କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ ହରିଦୀପ ସିଂ ପୁରୀ କହିଛନ୍ତି ଯେ ଝିଅମାନେ ଆହୁରି ଉପରକୁ ଉଠିବେ । ପେସାଦାର, ସୁଶିକ୍ଷିତ ଓ ଆତ୍ମବିଶ୍ବାସରେ ଭରା ମହିଳା କକପିଟ୍ କ୍ରିୟୁ (ବିମାନର କକପିଟରେ ଥିବା କର୍ମଚାରୀ) ସାନଫ୍ରାନସିସକୋରୁ ଉଡ଼ାଣ ଭରିଛନ୍ତି ଓ ସେମାନେ ଉତ୍ତର ମେରୁ ଉପରେ ଫ୍ଲାଇଟ ଚଳାଇ ବାଙ୍ଗାଲୁରୁରେ ପହଞ୍ଚିବେ । ଆମର ନାରୀଶକ୍ତି ଐତିହାସିକ ସଫଳତା ପାଇଛି ।

ସମ୍ବନ୍ଧିତ ଖବର