ରନୱେରୁ ଖସି ଘାସ ପଡିଆରେ ଫସିଗଲା ବିମାନ, ଅଳ୍ପକେ ବର୍ତ୍ତିଗଲା ୧୬୨ ଜଣ ଯାତ୍ରୀଙ୍କ ଜୀବନ

ମାନିଲା: ଦ୍ରୁତ ଗତିରେ ରନୱେରେ ବିମାନ ଯାଉଥିବାବେଳେ ଖସିଗଲା ଚକ | ଆଉ ଘାସ ପଡିଆରେ ଫସିଗଲା ବିମାନ | ଆଜି ଫିଲିପାଇନ୍ସ ବିମାନବନ୍ଦରରେ ଏଭଳି ଏକ ବଡ଼ ବିମାନ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଯାଇଛି | ମିଳିଥିବା ସୂଚନା ମୁତାବକ କୋରିଆ ଏୟାରର ଏକ ବିମାନ ଆଜି ଫିଲିପାଇନ୍ସ ବିମାନବନ୍ଦରରେ ରନୱେରୁ ଖସି ଯାଇ ଏକ ଘାସପଡିଆରେ ଫସିଯାଇଥିଲା | ଏହି ବିମାନରେ ୧୬୨ ଜଣ ଯାତ୍ରୀ ଥିବାବେଳେ ୧୧ ଜଣ ବିମାନ କର୍ମଚାରୀ ଥିଲେ |

ଶେଷ ଖବର ସୁଦ୍ଧା ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି। ବିମାନ ଫସିଥିବାର ଖବର ଜଣାପଡିବା ପରେ ଯାତ୍ରୀମାନଙ୍କୁ ବିମାନର ଜରୁରୀକାଳୀନ ଦ୍ୱାର ଦେଇ ବାହାର କରାଯାଇଥିଲା। ଫିଲିପାଇନ୍ସର ସବୁଠୁ ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ମାକଟାନ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେରେ ଏଭଳି ଘଟଣା ଘଟିଥିବାରୁ ବର୍ତ୍ତମାନ ବିମାନ ଚଳାଚଳ ବନ୍ଦ କରାଯାଇଛି | ଏୟାର କୋରିଆର ଅଧ୍ୟକ୍ଷ ଯାତ୍ରୀମାନଙ୍କୁ କ୍ଷମା ମାଗିଛନ୍ତି କହିଛନ୍ତି ଯେ ଆମେ ନିରାପତ୍ତାକୁ ସର୍ବଦା ପ୍ରାଥମିକତା ଦେଇଥାଉ।

ତେବେ ଆଜିର ଘଟଣା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ | ବିମାନବନ୍ଦର କର୍ତ୍ତୃପକ୍ଷ ବର୍ତ୍ତମାନ ଘଟଣାର ଅନୁସନ୍ଧାନ କରୁଛନ୍ତି । କୋରିଆ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ କୋରିଆର ଇନଚିୟାନରୁ ଏୟାରବସ୍ ଏ୩୩୦ ବିମାନ ଫିଲିଫାଇନ୍ସର ମାକଟାନ ଅଭିମୁଖେ ଉଡାଣ କରିଥିଲା | ତେବେ ରନୱେରେ ଅବତରଣ ସମୟରେ ଏହି ଅଘଟଣ ଘଟିଥିଲା |

ସମ୍ବନ୍ଧିତ ଖବର