ନୂଆଦିଲ୍ଲୀ: ବର୍ତ୍ତମାନ ବାୟୁ ପ୍ରଦୂଷଣ ସମଗ୍ର ବିଶ୍ବ ପାଇଁ ଆତଙ୍କ ସୃଷ୍ଟି କରିଛି। ଭାରତ ବିଶ୍ବର ଦ୍ବିତୀୟ ପ୍ରଦୂଷଣକାରୀ ରାଷ୍ଟ୍ରର ମାନ୍ୟତା ଲାଭ କରିଛି। ବାୟୁ ପ୍ରଦୂଷଣ ଯୋଗୁଁ ୪୮ କୋଟି ଭାରତୀୟଙ୍କର ହାରାହାରି ଆୟୂଷ ୭ ବର୍ଷ ହ୍ରାସ ପାଇବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଗାଙ୍ଗେୟ ଉପତ୍ୟକା ଅଞ୍ଚଳର ରାଜ୍ୟଗୁଡ଼ିକରେ ୪୮ କୋଟି ଲୋକେ ସମ୍ପୂର୍ଣ୍ଣ ଆୟୁଷର ୭ ବର୍ଷ ପୂର୍ବରୁ ମୃତ୍ୟୁଲାଭ କରିବେ ବୋଲି ଏକ ଗବେଷଣା ଦର୍ଶାଇଛି। ଯଦି ଭାରତ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ (ଡବ୍ଲ୍ୟୁଏଚ୍ଓ)ର ନିୟମାବଳୀ ପାଳନ କରେ ତେବେ ଭାରତୀୟଙ୍କ ଆୟୂଷ କିଛି ମାତ୍ରାରେ ବଢ଼ିପାରେ। ଚିକାଗୋ ବିଶ୍ବବିଦ୍ୟାଳୟର ଏନର୍ଜି ପଲିସି ଇନ୍ଷ୍ଟିଚ୍ୟୁଟ୍ (ଇପିଆଇସି) ବିଶ୍ବର ୨୨୫ ଦେଶର ବାୟୁର ଗୁଣବତ୍ତାକୁ ନେଇ ଗବେଷଣା କରିଥିଲା। ତେବେ ନେପାଳର ‘ପିଏମ୍ ୨.୫’ (ବାୟୁ ମଣ୍ଡଳର ସୁକ୍ଷ୍ମକଣିକା ସ୍ତର) ସବୁଠୁ ମାରାତ୍ମକ ବୋଲି ଏହି ଗବେଷଣା ରିପୋର୍ଟରୁ ଜଣାପଡ଼ିଛି। ବାୟୁ ପ୍ରଦୂଷଣ ରୋକିବାରେ ଭାରତ ବିଫଳ ହୋଇଛି ବୋଲି ଏହି ଗବେଷଣାରୁ ଜଣାପଡ଼ିଛି। ବାୟୁ ପ୍ରଦୂଷଣ କାରଣରୁ ଭାରତର ୪୮ କୋଟି ଲୋକଙ୍କର ସମ୍ପୂର୍ଣ୍ଣ ଆୟୂଷର ୭ ବର୍ଷ ପୂର୍ବରୁ ମୃତ୍ୟୁ ହେବ ବୋଲି ଏହି ଗବେଷଣା ଦର୍ଶାଇଛି। ଗାଙ୍ଗେୟ ଉପତ୍ୟକା ଅଞ୍ଚଳର ପ୍ରମୁଖ ୭ଟି ରାଜ୍ୟ ପଞ୍ଜାବ, ଚଣ୍ଡୀଗଡ଼, ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗର ଲୋକମାନଙ୍କ ହାରାହାରି ଆୟୂଷ ୭ ବର୍ଷ ହ୍ରାସ ପାଇବ ବୋଲି ଏହି ରିପୋର୍ଟ ଉଲ୍ଲେଖ କରିଛି। ସୂଚନାଯୋଗ୍ୟ, ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଭାରତୀୟମାନଙ୍କ ହାରାହାରି ଆୟୂଷ ୬୯ ବର୍ଷ ଥିଲା। ମାତ୍ର, ଆଗାମୀ ଦିନରେ ଭାରତୀୟଙ୍କ ହାରାହାରି ଆୟୂଷ ୭ ବର୍ଷ ହ୍ରାସ ପାଇ ୬୨ ବର୍ଷ ହୋଇଯିବ ବୋଲି ଏହି ଗବେଷଣା ରିପୋର୍ଟରୁ ଜଣାପଡ଼ିଛି।
ସୋମବାର ସୁପ୍ରିମ୍ କୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆର ଅଂଚଳରେ ବାୟୁ ପ୍ରଦୂଷଣ ସ୍ଥିତି ଆଜି ମଧ୍ୟ ‘ଅତି ଖରାପ’ ରହିଛି। ଅଧିକାଂଶ ଅଂଚଳରେ ପିଏମ୍ ୨.୫ ସ୍ତର ୫୦୦ ଉପରେ ରହିଥିବାରୁ ଏହି ବିପଜ୍ଜନକ ସ୍ଥିତିର ମୁକାବିଲା ପାଇଁ ଗତକାଲିଠାରୁ ସ୍ବାସ୍ଥ୍ୟ ଏମର୍ଜେନ୍ସି ଜାରି ହୋଇଛି। ଆଜି ସକାଳେ ଦିଲ୍ଲୀର ଅଧିକାଂଶ ଅଂଚଳରେ କୁହୁଡ଼ିର ମୋଟା ଆସ୍ତରଣ ଦେଖିବାକୁ ମିଳିଥିଲା। ନିର୍ମାଣ କାର୍ଯ୍ୟ ଉପରେ ସଂପୂର୍ଣ୍ଣ କଟକଣା ଜାରି ରହିଥିବା ବେଳେ ଲୋକଙ୍କୁ ଯଥା ସମ୍ଭବ କମ୍ ଘରୁ ବାହାରିବାକୁ କୁହାଯାଇଛି। ଆସନ୍ତକାଲିଠାରୁ ଘଣ୍ଟା ପ୍ରତି ୨୦ରୁ ୨୫ କିମି ମଧ୍ୟରେ ପବନର ବେଗ ରହିବ ଏବଂ ଏହାଦ୍ବାରା ପ୍ରଦୂଷଣ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦିଲ୍ଲୀ ପ୍ରଦୂଷଣ ମାମଲାରେ ଦାଏର ହୋଇଥିବା ବିଭିନ୍ନ ମାମଲା ଉପରେ ସୁପ୍ରିମ୍ କୋର୍ଟ ଆସନ୍ତା ସୋମବାର ଦିନ ଶୁଣାଣି କରିବେ। ଇପିଏସି ପ୍ୟାନେଲର ରିପୋର୍ଟ ଆଧାରରେ ଏହି ଶୁଣାଣି ହେବ।