ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ ଶୁକ୍ରବାର ସକାଳେ ଅତି ଖରାପ ଶ୍ରେଣୀକୁ ଚାଲିଯାଇଛି। ଦୀପାବଳି ପରଦିନ ଦିଲ୍ଲୀ ଅଣନିଶ୍ବାସୀ ହୋଇଉଠିଛି। ବାଣ ଫୁଟାଇବା ନେଇ ଜାରି ହୋଇଥିବା କଟକଣା ଉଲ୍ଲଂଘନ କରିଥିବାରୁ ଆଜି ସକାଳେ ଦିଲ୍ଲୀରେ ଅତି ସାଂଘାତିକ ସ୍ଥିତି ଦେଖାଦେଇଛି ଏବଂ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଚାରିଆଡ଼େ ଘନ କୁହୁଡ଼ିର ଆସ୍ତରଣ ଭିତରେ ଦିଲ୍ଲୀରେ ପିଏମ୍ ୨.୫ ସ୍ତର ଗତ ୨୪ ଘଣ୍ଟା ମଧ୍ୟରେ ଅତ୍ୟଧିକ ବଢ଼ିଯାଇଛି ଏବଂ ଏହା ଗତ ୩ ବର୍ଷ ମଧ୍ୟରେ ସର୍ବାଧିକ।
Sambad is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀରେ ବାୟୁର ମାନ ଖରାପରୁ ଅତି ଖରାପ ସ୍ତରରେ ପହଞ୍ଚିବା ନେଇ ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ଗତକାଲି ଅପରାହ୍ନ ୪ଟାରେ ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ ୩୮୨ ଥିଲା କିନ୍ତୁ ଆଜି ଏହା ଅତି ଖରାପ ସ୍ତରକୁ ଚାଲିଯାଇଛି। ଆଜି ସକାଳେ ଜବାହରଲାଲ ନେହରୁ ଷ୍ଟାଡିୟମ୍ ନିକଟରେ ପିଏମ୍ ସ୍ତର ପ୍ରତି କ୍ୟୁବିକ ମିଟରରେ ୯୯୯ ରହିଥିଲା। ଅଧିକାଂଶ ସ୍ଥାନରେ ବାୟୁର ମାନ ସୂଚକାଙ୍କ ୪୫୧ ରହିଛି। ଜନପଥରେ ବାୟୁର ମାନ ଅତି ସାଂଘାତିକ ରହିଛି। ଏଠାରେ ପିଏମ୍ କନସେନଟ୍ରେସନ୍ ୬୫୫.୦୭ ରହିଛି। ପଡ଼ୋଶୀ ସହର ଫରିଦାବାଦରେ ବାୟୁର ମାନ ସୁଚକାଙ୍କ ୪୨୪, ଗାଜିଆବାଦରେ ୪୪୨, ଗୁରଗାଓଁରେ ୪୨୩ ଏବଂ ନଏଡ଼ାରେ ୪୩୧ ରହିଛି। ଏହା ଜାରି ରହିଥିଲେ ସ୍ଥିତି ଅତ୍ୟନ୍ତ ସାଂଘାତିକ ରୂପ ନେବ ଏବଂ ଶ୍ବାସପ୍ରଶ୍ବାସରେ ସମସ୍ୟା ଉପୁଜିବ। ଏକ୍ୟୁଆଇ (ବାୟୁର ମାନ ସୂଚକାଙ୍କ) ଶୂନରୁ ୫୦ ମଧ୍ୟରେ ରହିବା ଭଲ। ୫୧ ରୁ ୧୦୦ ମଧ୍ୟରେ ରହିବା ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ରହିବା ମଧ୍ୟମ ସ୍ତର, ୨୦୧ରୁ ୩୦୦ ମଧ୍ୟରେ ରହିବା ଖରାପ, ୩୦୧ରୁ ୪୦୦ ମଧ୍ୟରେ ରହିବା ଅତି ଖରାପ ଏବଂ ୪୦୧ରୁ ୫୦୦ ରହିବା ଅତି ସାଂଘାତିକ।ବିଶେଷଜ୍ଞମାନେ କହିଛନ୍ତି, ଦିଲ୍ଲୀରେ ବାୟୁର ମାନ ନିମ୍ନ ତାପମାତ୍ରା, ଥଣ୍ଡା ପବନ ପାଇଁ ଅତି ଖରାପ ହୋଇଯାଉଛି। ଆଗକୁ ଏହା ଆହୁରି ଅଧିକ ଖରାପ ହେବାକୁ ଯାଉଥିବାରୁ ସରକାର ଯୁଦ୍ଧସ୍ତରରେ କେତେକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।
ଦିଲ୍ଲୀ ସରକାର ବାଣ ସମ୍ପୂର୍ଣ୍ଣ ନିଷିଦ୍ଧ କରିଥିଲେ ସୁଦ୍ଧା ଲୋକେ ମାନିନଥିଲେ। ପ୍ରବଳ ବାଣ ଫୁଟାଇଥିବାରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଏଭଳି ସ୍ଥିତିରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ସଫର ( ସିଷ୍ଟମ ଅଫ୍ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଙ୍ଗ ଆଣ୍ଡ ରିସର୍ଚ୍ଚ) ଅନୁଯାୟୀ ବାୟୁର ମାନ ଆସନ୍ତା ୭ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ସୁଧୁରିବା ଭଳି ଲାଗୁନାହିଁ। ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ୨୪ ଘଣ୍ଟାର ହାରାହାରି ବାୟୁର ମାନ ସୂଚକାଙ୍କ ସୋମବାର ଦିନ ୨୮୧ ଥିବାବେଳେ ମଙ୍ଗଳବାର ଦିନ ୩୦୩ ଥିଲା , ବୁଧବାର ଦିନ ଏହା ୩୧୪, ଗୁରୁବାର ଦିନ ୩୮୨ ରହିଥିଲା। ଅନ୍ୟପକ୍ଷେ ମୁମ୍ବାଇରେ ବାୟୁର ମାନ ସ୍ତର ହାରାହାରି ୧୪୯ରୁ ୧୬୫ ମଧ୍ୟେରହିଛି।