ନୂଆଦିଲ୍ଲୀ: ଲାନସେଟ୍‌ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ୨୦୦୦ରୁ ୨୦୧୯ ମଧ୍ୟରେ ଦୁଇ ଦଶନ୍ଧିରେ  ଚାଷଜମିରେ ନଡ଼ାପୋଡ଼ି, ଜଙ୍ଗଲ ନିଆଁ ଏବଂ ମାନବକୃତ ନିଆଁ ଆଦି ଯୋଗୁ ସୃଷ୍ଟ ବାୟୁପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଭାରତରେ ଅତି କମ୍‌ରେ ୨.୫ ନିୟୁତ (୨୫ ଲକ୍ଷ) ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଅଧ୍ୟୟନରେ ଆହୁରି କୁହାଯାଇଛି ଯେ ଏହି ସମୟ ମଧ୍ୟରେ ପୃଥିବୀରେ ଅତି କମ୍‌ରେ ୩୦ ନିୟୁତ ମୃତ୍ୟୁ ଭୂପୃଷ୍ଠ ନିଆଁ (ଲ୍ୟାଣ୍ଡସ୍କେପ୍ ଫାୟାର୍) ଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ହୋଇଛି, ଯେଉଁଥିରୁ ୯୦ ପ୍ରତିଶତ ମୃତ୍ୟୁ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶମାନଙ୍କରେ ଘଟିଛି। ସେଥିରେ ଚୀନ୍, ଭାରତ, କଙ୍ଗୋ, ଇଣ୍ଡୋନେସିଆ ଓ ନାଇଜେରିଆରେ ସର୍ବାଗ୍ରେ ଅଛନ୍ତି। ଅଧ୍ୟୟନ ଅନୁଯାୟୀ, ଚୀନ୍‌ରେ ୨.୮୧ ନିୟୁତରୁ କିଛି ଅଧିକ ମୃତ୍ୟୁ ଘଟିଛି। ଲ୍ୟାଣ୍ଡସ୍କେପ୍ ନିଆଁ ହେଉଛି ପ୍ରାକୃତିକ ଓ ସାଂସ୍କୃତିକ କ୍ଷେତ୍ରରେ ଘଟୁଥିବା ନିଆଁ, ଯେଉଁଥିରେ ମାନବକୃତ ନିଆଁ ଅନ୍ତର୍ଭୁକ୍ତ।

Advertisment

ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ, ଭାରତର ଉତ୍ତରାଞ୍ଚଳ ଯାନବାହନ ନିର୍ଗମନ ଏବଂ ବିଶେଷକରି ପଞ୍ଜାବରେ ଚାଷଜମିରେ ନଡ଼ା ପୋଡ଼ିବା ଯୋଗୁ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହୋଇଥାଏ। ଏହି ନିଆଁ ସହ ଜଡିତ ଅଳ୍ପ ମୃତ୍ୟୁ ପ୍ରତ୍ୟକ୍ଷ ଓ ଅଧିକାଂଶ ମୃତ୍ୟୁ ବାୟୁ ପ୍ରଦୂଷଣ ଜନିତ ପରୋକ୍ଷ କାରଣରୁ ହୋଇଥାଏ। ଅଧ୍ୟୟନ ଅନୁଯାୟୀ, ୨୦୧୮ରେ ସମଗ୍ର ବିଶ୍ୱରେ ୨୨୧ଟି ପ୍ରତ୍ୟକ୍ଷ ମୃତ୍ୟୁ ଘଟିଛି। ଅବଶ୍ୟ, ଲ୍ୟାଣ୍ଡସ୍କେପ୍ ନିଆଁରୁ ସ୍ୱାସ୍ଥ୍ୟ ବିପଦ ବହୁତ ଅଧିକ, କାରଣ ଲ୍ୟାଣ୍ଡସ୍କେପ୍ ନିଆଁ ଜନିତ ବାୟୁ ପ୍ରଦୂଷଣ ପ୍ରାୟତଃ ଉତ୍ସଠାରୁ ହଜାର ହଜାର କିଲୋମିଟର ଦୂର ଯାତ୍ରା କରିଥାଏ ଏବଂ ବହୁତ ବଡ଼ ଜନସଂଖ୍ୟାକୁ ପ୍ରଭାବିତ କରିଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ଭୂପୃଷ୍ଠ ନିଆଁ ଯୋଗୁଁ ପ୍ରଦୂଷଣ ଜନିତ ବିଶ୍ୱବ୍ୟାପୀ ହୃଦ୍‌ରୋଗ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି ଏବଂ ହୃଦ୍‌ରୋଗ କାରଣରୁ ବାର୍ଷିକ ପ୍ରାୟ ୪୫୦,୦୦୦ ମୃତ୍ୟୁ ଓ ଶ୍ୱାସ ରୋଗ କାରଣରୁ ୨,୨୦,୦୦୦ ମୃତ୍ୟୁ ହେଉଛି। ୨୦୦୦ରୁ ୨୦୦୯ ମଧ୍ୟରେ ଦଶନ୍ଧିରେ ଭାରତରେ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା ବାର୍ଷିକ ୧,୧୭,୭୮୧ ଥିବା ବେଳେ ୨୦୧୦ରୁ ୨୦୧୯ ମଧ୍ୟରେ ଦଶନ୍ଧିରେ ଏହା ୧,୩୭,୭୧୧କୁ ବୃଦ୍ଧି ପାଇଛି ବୋଲି ଅଧ୍ୟୟନରୁ ଜଣାପଡ଼ିଛି।