ବାୟୁ ପ୍ରଦୂଷଣ: ୫ ବର୍ଷ କମିଯାଉଛି ଭାରତୀୟଙ୍କ ଆୟୁ, ଦିଲ୍ଲୀବାସୀଙ୍କ ଆୟୁ ୧୦ ବର୍ଷ କମୁଛି

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ବାୟୁ ପ୍ରଦୂଷଣ ଏବେ ସ୍ବାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦ ପାଲଟିଛି। ଭାରତରେ ପ୍ରଦୂଷଣ ସ୍ଥିତି ଅତି ସାଂଘାତିକ ରହିଛି । ବାୟୁ ପ୍ରଦୂଷଣ ପାଇଁ ଦେଶର ୫୦ରୁ ଅଧିକ ସହରରେ ଚିନ୍ତାଜନକ ସ୍ଥିତି ଉପୁଜିଛି। ବାୟୁ ପ୍ରଦୂଷଣ ଯୋଗୁଁ ଭାରତୀୟମାନଙ୍କ ଜୀବନକାଳ ୫ ବର୍ଷ କମିଯାଉଛି। ଦେଶର ରାଜଧାନୀ ଦିଲ୍ଲୀ ହେଉଛି ବିଶ୍ବର ସବୁଠାରୁ ପ୍ରଦୂଷିତ ସହର। ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସିନ୍ଦାଙ୍କ ଜୀବନକାଳ ୧୦ ବର୍ଷ କମାଇ ଦେଉଛି। ଚିକାଗୋ ବିଶ୍ବବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍‌ ଦ୍ବାରା ଜାରି ହୋଇଥିବା ଏକ୍ୟୁଏଲ୍‌ଆଇ ( ଏୟାର କ୍ବାଲିଟି ଲାଇଫ୍‌ ଇଣ୍ଡେକ୍ସ)ର ସଦ୍ୟ ସଂସ୍କରଣରୁ ଏହା ଜଣାପଡ଼ିଛି।

ବାଂଲାଦେଶ ପରେ ଭାରତ ହେଉଛି ବିଶ୍ବର ଦ୍ବିତୀୟ ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର। ଦେଶର ୬୩ ପ୍ରତିଶତ ଲୋକ ଏଭଳି ସ୍ଥାନରେ ରହୁଛନ୍ତି ଯେଉଁଠି ଦେଶର ନିଜସ୍ବ ଜାତୀୟ ବାୟୁ ଗୁଣବତା ମାନକ ୪୦ ପିଜି/ଏମ୍‌୩ଠାରୁ ବି ବାୟୁ ପ୍ରଦୂଷଣ ସ୍ତର ଯଥେଷ୍ଟ ଅଧିକ ରହୁଛି। ଭାରତରେ ବାର୍ଷିକ ହାରାହାରି ପ୍ରଦୂଷଣ ସ୍ତର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ଦ୍ବାରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ରହିଛି। ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ ଧୂମ୍ରପାନ ଠାରୁ ଅଧିକ ବିପଜ୍ଜନକ। ବିଶ୍ବର ସବୁଠୁ ପ୍ରଦୂଷିତ ଅଞ୍ଚଳ ହେଉଛି ଗାଙ୍ଗେୟ ସମତଳ ଅଞ୍ଚଳ। ରିପୋର୍ଟ ଅନୁଯାୟୀ ‘ଇଣ୍ଡୋ-ଗାଙ୍ଗେଟିକ୍‌ ପ୍ଲେନ୍‌’ରେ ପ୍ରଦୂଷଣ ସ୍ତର ‘ହୁ’ର ସୀମାଠାରୁ ୨୧ ଗୁଣା ଅଧିକ। ଦିଲ୍ଲୀର ପିଏମ୍‌ ୨.୫ ସ୍ତର ୧୦୭.୬ ରହୁଛି, ଯାହା କି ‘ହୁ’ର ଧାର୍ଯ୍ୟ ବିପଦ ସୀମାରେଖାଠାରୁ ୧୦ ଗୁଣା ଅଧିକ। ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୧୩ ପରଠାରୁ ବିଶ୍ବ ପ୍ରଦୂଷଣରେ ୪୪ ପ୍ରତିଶତ ବୃଦ୍ଧି କେବଳ ଭାରତରୁ ହୋଇଛି। ୨୦୨୦ର ତଥ୍ୟ ଆଧାରରେ ଏହି ଆକଳନ କରାଯାଇଛି। ‘ହୁ’ର ନୂଆ ମାନଦଣ୍ଡ ଅନୁଯାୟୀ ଯଦି ପ୍ରଦୂଷଣ ସ୍ତର କମିବ ତା’ହେଲେ ହିଁ ହାରାହାରି ଜୀବନକାଳ ଦିଲ୍ଲୀରେ ୧୦.୧ ବର୍ଷ, ବିହାରରେ ୭.୯ ବର୍ଷ, ଉତ୍ତରପ୍ରଦେଶରେ ୮.୯ ବର୍ଷ ବଢ଼ିବ। ୨୦୧୯ ଲାନସେଟ୍‌ ଅଧ୍ୟୟନରୁ ଏହା ଜଣାପଡ଼ିଥିଲା ଯେ ବାୟୁ ପ୍ରଦୂଷଣ ଯୋଗୁଁ ୧୬ ଲକ୍ଷରୁ ଅଧିକ ମୃତ୍ୟୁ ହେଉଛି। ବିଶ୍ବ‌‌ରେ ଅନ୍ୟ ସବୁ ରାଷ୍ଟ୍ର ତୁଳନାରେ ବାୟୁ ପ୍ରଦୂଷଣ ପାଇଁ ଭାରତରେ ସ୍ବାସ୍ଥ୍ୟ ବୋଝ ସବୁଠାରୁ ଅଧିକ। ଯାନବାହନ ପ୍ରଦୂଷଣ ଭାରତୀୟ ସହରଗୁଡ଼ିକରେ ଜଟିଳ ସ୍ଥିତି ସୃଷ୍ଟି କରୁଛି।

ଭାରତରେ କ୍ୟୁବିକ ମିଟର ପିଛା ପ୍ରଦୂଷଣ ସ୍ତର ୫୩ ମାଇକ୍ରୋଗ୍ରାମ୍‌ରୁ ୫୬ ମାଇକ୍ରୋଗ୍ରାମ୍‌କୁ ବୃଦ୍ଧି ପାଇଛି। ‘ହୁ’ ନିର୍ଦ୍ଦେଶାବଳିଠାରୁ ଏହା ପ୍ରାୟ ୧୧ ଗୁଣା ଅଧିକ। ୧୯୯୮ ପରଠାରୁ ଭାରତରେ ବାର୍ଷିକ ହାରାହାରି ଭାସମାନ ଧୂଳିକଳା ପ୍ରଦୂଷଣ ୬୧.୪ ପ୍ରତିଶତ ବୃଦ୍ଧି ପାଇଛି। ଏହାଦ୍ବାରା ହାରାହାରି ଜୀବନକାଳ ପୁଣିଥରେ ୨.୧ ବର୍ଷ କମିଯାଉଛି। ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ଯଦି ବର୍ତ୍ତମାନର ପ୍ରଦୂଷଣ ସ୍ତର ଜାରି ରହେ ତେବେ ଭାରତରେ ୫୧୦ ନିୟୁତ ଲୋକଙ୍କ ହାରାହାରି ଜୀବନକାଳ ୭.୬ ବର୍ଷ କମିଯିବ। ସମଗ୍ର ବିଶ୍ବରେ ୭୪୦ କୋଟି ଲୋକ ତଥା ବିଶ୍ବ ଜନସଂଖ୍ୟାର ୯୭.୩ ପ୍ରତିଶତ ଲୋକ ଯେଉଁ ଅଞ୍ଚଳରେ ରହୁଛନ୍ତି ସେଠାରେ ପିଏମ୍‌୨.୫ ସ୍ତର ‘ହୁ’ର ଧାର୍ଯ୍ୟ ସୀମାଠାରୁ ଯଥେଷ୍ଟ ଅଧିକ ରହିଛି।

ସମ୍ବନ୍ଧିତ ଖବର