ବାୟୁ ପ୍ରଦୂଷଣ ପ୍ରଜନନ କ୍ଷମତା କମାଉଛି

ୱାଶିଂଟନ: ବାୟୁ ପ୍ରଦୂଷଣ କିପରି ମସ୍ତିଷ୍କରେ ପ୍ରଦାହ ସୃଷ୍ଟି କରି ଶୁକ୍ରାଣୁ ସଂଖ୍ୟା କମାଇ ଦେଇଥାଏ, ତାହା ୟୁନିଭର୍ସିଟି ଅଫ୍ ମେରିଲ୍ୟାଣ୍ଡ ସ୍କୁଲ ଅଫ୍ ମେଡିସିନ (ୟୁଏମ୍‌ଏସ୍‌ଓଏମ୍‌)ର ଗବେଷକମାନେ ଦର୍ଶାଇଛନ୍ତି। ଅନୁଧ୍ୟାନର ଫଳାଫଳ ଏନ୍‌ଭାଇରନ୍‌ମେଣ୍ଟାଲ ହେଲ୍‌ଥ ପର୍‌ସ୍ପେକ୍ଟିଭ୍‌ସ ନାମକ ଜର୍ଣ୍ଣାଲରେ ପ୍ରକାଶ ପାଇଛି।
ବୈଜ୍ଞାନିକମାନେ ଜାଣିଛନ୍ତି ଯେ, ମସ୍ତିଷ୍କର ସିଧାସଳଖ ଜନନାଙ୍ଗ ସହିତ ସମ୍ପର୍କ ଅଛି। ମସ୍ତିଷ୍କରେ ଯଦି ଚାପ ପଡ଼େ ତେବେ ତାହା ପ୍ରଭାବରେ ପ୍ରଜନନ କ୍ଷମତା ଓ ଶୁକ୍ରାଣୁ ସଂଖ୍ୟା (ସ୍ପର୍ମ କାଉଣ୍ଟ) ହ୍ରାସ ପାଇଥାଏ। ଉଦାହରଣସ୍ବରୂପ ମାନସିକ ଚାପ ଅଧିକ ହେଲେ ମହିଳାଙ୍କର ଗୋଟିଏ ଗୋଟିଏ ମାସରେ ଋତୁସ୍ରାବ ହୁଏ ନାହିଁ। ତେବେ ସଦ୍ୟ ଗବେଷଣାରୁ ଜଣାପଡ଼ିଛି ଯେ, ପ୍ରଶ୍ବାସରେ ଦୂଷିତ ବାୟୁ ନେଲେ ମଧ୍ୟ ପ୍ରଜନନ କ୍ଷମତା କମିଥାଏ। ବୈଜ୍ଞାନିକମାନେ ଏହାର ପ୍ରତିକାର ମଧ୍ୟ ପାଇଛନ୍ତି। ମୁଷାଠାରେ ମସ୍ତିଷ୍କରେ ପ୍ରଦାହକାରକ ଉପାଦାନକୁ ଅପସାରଣ କରି ସେମାନେ ତା’ର ପ୍ରଜନନ କ୍ଷମତା ବୃଦ୍ଧି କରିପାରିଛନ୍ତି। ତେଣୁ ବାୟୁ ପ୍ରଦୂଷଣ ଯୋଗୁ ମସ୍ତିଷ୍କରେ ଯେଉଁ କ୍ଷତିକାରକ ପ୍ରଭାବ ପଡ଼ୁଛି, ଯାହାଦ୍ବାରା ପ୍ରଜନନ କ୍ଷମତା କମୁଛି, ତାହାର ଉପଚାର ବାହାର କରାଯାଇପାରେ ବୋଲି ଅନୁଧ୍ୟାନର ମୁଖ୍ୟ ଲେଖକ ଝେକାଙ୍ଗ ୟିଙ୍ଗ କହିଛନ୍ତି।

ସେ କହିଛନ୍ତି, ବାୟୁ ପ୍ରଦୂଷଣ ଯୋଗୁ ମସ୍ତିଷ୍କରେ ଯେଉଁ ପ୍ରଦାହ ସୃଷ୍ଟି ହୁଏ ତାହା କେବଳ ପ୍ରଜନନ କ୍ଷମତା କମାଇ ନ ଥାଏ। ଏହା ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍‌ରୋଗ ପରି ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ବିଶ୍ବ ଜନସଂଖ୍ୟାର ପ୍ରାୟ ୯୨ ପ୍ରତିଶତ ଲୋକ ୨.୫ ମାଇକ୍ରୋମିଟର ବ୍ୟାସ ବିଶିଷ୍ଟ ବା ତା’ଠାରୁ କମ୍ ପାର୍ଟିକୁଲେଟ୍ ମ୍ୟାଟର (କ୍ଷୁଦ୍ର କଣିକା) ଦ୍ବାରା ପ୍ରଦୂଷିତ ବାୟୁ ସେବନ କରିବାକୁ ବାଧ୍ୟ ହେଉଛନ୍ତି। ଗାଡ଼ି ଧୂଆଁ, ଜଙ୍ଗଲ ପୋଡ଼ି, କାରଖାନା ଧୂଆଁ, ଖରାପ ରାସ୍ତାର ଧୂଳି, ନିର୍ମାଣ ସ୍ଥଳୀରୁ ଉଡ଼ୁଥିବା ଗୁଣ୍ଡ, ଅମଳ ଋତୁରେ ନଡ଼ା ପୋଡ଼ି, ଅଳିଆ ପୋଡ଼ି ପ୍ରଭୃତିରୁ ଏହି ପ୍ରଦୂଷଣ ସୃଷ୍ଟି ହୋଇଥାଏ।

ସମ୍ବନ୍ଧିତ ଖବର