ଜେନିଭା (ସ୍ବିଜର୍ଲାଣ୍ଡ୍): ବାୟୁ ପ୍ରଦୂଷଣ ହେତୁ ପୃଥିବୀରେ ବର୍ଷକୁ ୭୦ ଲକ୍ଷ ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଥିବା ସୂଚାଇ ବୁଧବାର ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ‘ବାୟୁ ମାନକ ମାର୍ଗଦର୍ଶିକା’ (ଏୟାର୍ କ୍ବାଲିଟି ଗାଇଡ୍ଲାଇନ୍ସ୍) ଜାରି କରିଛି। ଆଉ ପ୍ରଥମ ଥର ଲାଗି ଏଭଳି ମାର୍ଗଦର୍ଶିକା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ପକ୍ଷରୁ ଜାରି କରାଯାଇଥିବା ଜଣାପଡ଼ିଛି।
ଅବଶ୍ୟ ଏହା ପୂର୍ବରୁ ୨୦୦୫ରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଏ ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରିଥିଲା। ବାୟୁରେ ଥିବା ପ୍ରମୁଖ ପ୍ରଦୂଷଣକାରୀ ପଦାର୍ଥ ଯୋଗୁଁ ହୃଦ୍ରୋଗ ଏବଂ ଶ୍ବାସପ୍ରଶ୍ବାସ ଆଦି ରୋଗରେ ପୀଡ଼ିତ ହୋଇ ଲୋକେ ମରୁଥିବା କଥା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି। ୧୯୪ଟି ସଦସ୍ୟ ରାଷ୍ଟ୍ରଙ୍କ ପାଇଁ ଉଦ୍ଦିଷ୍ଟ ଏହି ମାର୍ଗଦର୍ଶିକାରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ବାୟୁ ପ୍ରଦୂଷଣକାରୀ କଠିନ ଓ ତରଳ କଣିକା ଏବଂ ‘ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍’ ସମେତ ମାତ୍ରାଧିକ ପ୍ରଦୂଷଣର କାରଣ ହେଉଥିବା କେତେଗୁଡ଼ିଏ ପଦାର୍ଥର ଅନୁମୋଦନ ପରିମାଣ ହ୍ରାସ କରିବାକୁ କହିଛି। ବାୟୁ ପ୍ରଦୂଷଣକାରୀ କଠିନ ଓ ତରଳ କଣିକା ଏବଂ ‘ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍’ ଜୀବାଶ୍ମ ଇନ୍ଧନରୁ ନିର୍ଗତ ହୋଇଥାଏ।
ଜଳବାୟୁ ପରିବର୍ତ୍ତନ ସହ ମାନବ ସ୍ବାସ୍ଥ୍ୟ ନିମନ୍ତେ ବାୟୁ ପ୍ରଦୂଷଣ ହେଉଛି ଅନ୍ୟତମ ବୃହତ୍ ପରିବେଶୀୟ ବିପଦ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସୂଚନା ଦେଇଛି । ମାନବ ସ୍ବାସ୍ଥ୍ୟ ପ୍ରତି ବାୟୁ ପ୍ରଦୂଷଣ କେତେ କ୍ଷତିକାରକ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ତା’ର ସ୍ପଷ୍ଟ ପ୍ରମାଣ ଦେଇଛି।
/sambad/media/post_attachments/wp-content/uploads/2021/09/ap-1024x576.jpg)
ଯଥା ସମ୍ଭବ ପ୍ରାଥମିକ ସ୍ତରକୁ ଯାଇ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ପ୍ରାୟ ସମସ୍ତ ‘ଏୟାର୍ କ୍ବାଲିଟି ଗାଇଡ୍ଲାଇନ୍ସ’ର ସମନ୍ବୟ ରକ୍ଷା କରି ନୂତନ ମାର୍ଗଦର୍ଶିକା ପ୍ରସ୍ତୁତ କରିଛି। ଉକ୍ତ ମାର୍ଗଦର୍ଶିକା ଅମାନ୍ୟ କଲେ ମାନବ ସ୍ବାସ୍ଥ୍ୟ ପ୍ରତି ଅଧିକ ବିପଦ ପଡ଼ିବ, କିନ୍ତୁ ମାନି ଚଳିଲେ କୋଟି କୋଟି ଜନତାଙ୍କ ଜୀବନ ରକ୍ଷା ହୋଇ ପାରିବ ବୋଲି ଦର୍ଶାଇଛି।
ଦୀର୍ଘ ଦିନ ଧରି ସ୍ବଳ୍ପ ପ୍ରଦୂଷିତ ବାୟୁ ଏବଂ ଘରୋଇ ଇନ୍ଧନଜନିତ ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିବା ହେତୁ ଫୁସ୍ଫୁସ୍ କର୍କଟ ରୋଗ, ହୃଦ୍ରୋଗ ଏବଂ ହୃଦଘାତ ଭଳି ଅନ୍ୟାନ୍ୟ ବହୁ ରୋଗରେ ପୀଡ଼ିତ ହୋଇ ବର୍ଷକୁ ପ୍ରାୟ ୭ ନିୟୁତ ବ୍ୟକ୍ତି ପ୍ରାଣ ହରାଉଥିବା କଥା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ରିପୋର୍ଟ କରିଛି। ବାୟୁ ପ୍ରଦୂଷଣଜନିତ ଏତେ ସଂଖ୍ୟକ ମୃତ୍ୟୁ ଅସ୍ବାସ୍ଥ୍ୟକର ଭୋଜନ ଏବଂ ଧୂମପାନ ଭଳି ଅନ୍ୟାନ୍ୟ ବୈଶ୍ବିକ ସ୍ବାସ୍ଥ୍ୟ ବିପତ୍ତିର ସମକକ୍ଷ ବୋଲି ଏଥିରେ ଉଲ୍ଲେଖ ଅଛି।
/sambad/media/post_attachments/wp-content/uploads/2021/09/air-polution.jpg)
ରିପୋର୍ଟରେ ଆହୁରି ମଧ୍ୟ ଲେଖା ଅଛି କି, ନିମ୍ନ ଏବଂ ମଧ୍ୟମବର୍ଗର ଆୟକାରୀ ଦେଶରେ ବାସ କରୁଥିବା ଲୋକେ ବାୟୁପ୍ରଦୂଷଣଜନିତ ରୋଗରେ ଅଧିକ ସଂଖ୍ୟାରେ ପୀଡ଼ିତ ହେଉଛନ୍ତି। ଏହାର କାରଣ ହେଲା, ସହରୀକରଣ ଏବଂ ଆର୍ଥିକ ବିକାଶ ପାଇଁ ଏହି ସବୁ ଦେଶ ଜୀବାଶ୍ମ ଇନ୍ଧନ ଜାଳିବାରେ ଖୁବ୍ ନିର୍ଭରଶୀଳ ହୋଇଯାଉଛନ୍ତି।
(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)