ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଉତ୍ତର ଭାରତର ଲୋକଙ୍କୁ ବାୟୁ ପ୍ରଦୂଷଣ ଅଣନିଃଶ୍ବାସୀ କରୁଛି। ଏହା କେବଳ ଲୋକଙ୍କ ଫୁସଫୁସ୍‌ କିମ୍ବା ସ୍ବାସ୍ଥ୍ୟକୁ ଖରାପ କରୁନାହିଁ ବରଂ ଅର୍ଥନୈତିକ ଅଭିବୃଦ୍ଧିକୁ ମନ୍ଥର କରିଦେଉଛି। ବିଶ୍ବର ପ୍ରମୁଖ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ ବାରମ୍ବାର ସ୍ଥାନ ପାଉଛି। ଦିଲ୍ଲୀର ବିଷାକ୍ତ ବାୟୁରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଧାର୍ଯ୍ୟ ସୀମାଠାରୁ କାହିଁ କେତେଗୁଣ ଅଧିକ ବିଷାକ୍ତ ସାମଗ୍ରୀ ରହିଛି। କର୍କଟ ରୋଗ ସୃଷ୍ଟିକାରୀ ପିଏମ୍‌୨.୫ ଭଳି ଅଣୁକଣିକା ଫୁସ୍‌ଫୁସ ଦେଇ ରକ୍ତରେ ପ୍ରବେଶ କରୁଛି।

Advertisment

ବି‌ଶେଷଜ୍ଞଙ୍କ କହିବାନୁଯାୟୀ, ଅର୍ଥନୀତି ଉପରେ ଏହି ବାୟୁ ପ୍ରଦୂଷଣର ବଡ଼ ପ୍ରଭାବ ପଡ଼ୁଛି। ଏକ ଅନୁଧ୍ୟାନରୁ ଜଣାଯାଇଛି ବାୟୁ ପ୍ରଦୂଷଣ କାରଣରୁ ଭାରତ ବର୍ଷକୁ ୯୫୦୦ କୋଟି ଡଲାର (ବର୍ତ୍ତମାନ ମୂଲ୍ୟରେ  ୮ ଲକ୍ଷ କୋଟିରୁ ଅଧିକ)ର ଆର୍ଥିକ କ୍ଷତି ବର୍ଷକୁ ସହୁଛି, ଯାହାକି ଭାରତର ଜିଡିପିର ୩ ପ୍ରତିଶତ। ଅନ୍ତର୍ଜାତୀୟ ପରାମର୍ଶଦାତା ଫାର୍ମ ଡଲବର୍ଗ ପକ୍ଷରୁ ୨୦୧୯ ମସିହା ପାଇଁ ଏହି ଆକଳନ କରାଯାଇଛି। ଉତ୍ପାଦକତା ହ୍ରାସ ଏବଂ ଅକାଳ ମୃତ୍ୟୁ ଆଦି କାରଣରୁ ଏହି କ୍ଷତି ହେଉଛି। ଏହି ସଂସ୍ଥାର ରିପୋର୍ଟ ଅନୁଯାୟୀ, ୨୦୧୯ରେ ଭାରତ ୩୮୦ କୋଟି ଡଲାରର କାର୍ଯ୍ୟ ଦିବସ ହରାଇଛି। ଭାରତରେ ହେଉଥିବା ସମୁଦାୟ ମୃତ୍ୟୁର ୧୮ ପ୍ରତିଶତ ବିଷାକ୍ତ ବାୟୁ ଦ୍ବାରା ହେଉଛି। ଦିଲ୍ଲୀ ବାୟୁ ପ୍ରଦୂଷଣର କେନ୍ଦ୍ର ପାଲଟିଛି। ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀ ଏହାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୬ ପ୍ରତିଶତ ପ୍ରତିବର୍ଷ ହରାଉଛି। ଦିଲ୍ଲୀରେ ଯେଉଁ ବାୟୁ ପ୍ରଦୂଷଣ ଦେଖାଦେଉଛି ସେଥିପାଇଁ ଉଭୟ ଲୋକଙ୍କ ସ୍ବାସ୍ଥ୍ୟ ଏବଂ ସଂପତ୍ତି ପ୍ରତି କ୍ଷତି ପହଞ୍ଚୁଛି। ସ୍ବାସ୍ଥ୍ୟ ସଚେତନ ଲୋକମାନେ ବାୟୁ ପ୍ରଦୂଷଣକୁ ଏଡ଼ାଇବା ପାଇଁ ଘରୁ ବାହାରକୁ ବାହାରୁ ନାହାନ୍ତି।

ଭାରତୀୟ ‌ରେସ୍ତୋରାଁ ସଂଘର ଦିଲ୍ଲୀ ଶାଖା ମୁଖ୍ୟ ସନ୍ଦୀପ ଆନନ୍ଦ ଗୋୟଲ କହିଛନ୍ତି ଯେ ପର୍ଯ୍ୟଟନ ପ୍ରଭାବିତ ହୋଇଛି। କାରଣ ଏହି ଋତୁରେ ବିଦେଶୀମାନେ ସାଧାରଣତଃ ଦିଲ୍ଲୀ ଏବଂ ଉତ୍ତର ଭାରତ ଭ୍ରମଣରେ ଆସିଥାନ୍ତି। କିନ୍ତୁ ବାୟୁ ପ୍ରଦୂଷଣ ଯୋଗୁ ସେମାନଙ୍କ ସଂଖ୍ୟା ହ୍ରାସ ପାଇଛି। ଅନୁଧ୍ୟାନକାରୀଙ୍କ କହିବାନୁଯାୟୀ ବର୍ଷକୁ ପ୍ରାୟ ୨୭୫ ଦିନ ଦିଲ୍ଲୀବାସୀ ଅସ୍ବାସ୍ଥ୍ୟକର ବାୟୁର ସାମ୍ନା କରୁଛନ୍ତି। ବିଶ୍ବବ୍ୟାଙ୍କର ୨୦୨୩ ମସିହାର ଏକ ସନ୍ଦର୍ଭ ଅନୁଯାୟୀ, ବାୟୁ ପ୍ରଦୂଷଣର ପ୍ରଭାବ ଜିଡିପିରେ ଦେଖିବାକୁ ମିଳୁଛି। ଭାରତ ଯଦି ପୂର୍ବ ୨୫ ବର୍ଷରେ ପ୍ରଦୂଷଣକୁ ଅଧା ନିୟନ୍ତ୍ରଣ କରିପାରିଥାନ୍ତା ତା’ହେଲେ ୨୦୨୩ ସୁଦ୍ଧା ଭାରତର ଜିଡିପି ୪.୫ ପ୍ରତିଶତ ଅଧିକ ହୋଇଥାନ୍ତା। ଯଦି ପଦକ୍ଷେପ ନିଆ ନଯା‌ଏ ତାହେଲେ ଆଗାମୀ ଦିନରେ ଭାରତୀୟ ଅର୍ଥନୀତି ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି।