ଦିଲ୍ଲୀରେ ବିପଦ ବଢ଼ାଉଛି ବାୟୁ ପ୍ରଦୂଷଣ ଅକାଳ ବାର୍ଦ୍ଧକ୍ୟ, ଆୟୁଷ କମୁଛି

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ‘ସାଇଲେଣ୍ଟ କିଲର’ ପାଲଟିଛି। ଏହା ଭିତରେ ଭିତରେ ମଣିଷ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଗୁଡ଼ିକୁ ଅତି ଦୁର୍ବଳ ଚାଲିଛି। ଯୁବାବସ୍ଥାରେ ମଣିଷକୁ ଅକାଳ ବାର୍ଦ୍ଧକ୍ୟ ଗ୍ରାସ କରୁଛି। ତେବେ ବାୟୁ ପ୍ରଦୂଷଣ ମଣି‌ଷ ଶରୀରର ଫୁସଫୁସ୍‌ ଉପରେ କିଭଳି ପ୍ରଭାବ ପକାଉଛି ସେନେଇ ଏକ ଅଧ୍ୟୟନ ହୋଇଥିଲା। ୩ ଲକ୍ଷରୁ ଅଧିକ ଲୋକଙ୍କୁ ନେଇ ଦୀର୍ଘ ୫ ବର୍ଷର ଅଧ୍ୟୟନରୁ ଜଣାପଡ଼ିଛି ଯେ ବାୟୁ ପ୍ରଦୂଷଣ ମଣିଷର ଆୟୁକୁ ଦ୍ରୁତ ଗତିରେ କମାଇ ଦେଉଛି। ଏବେ ବାୟୁମଣ୍ଡଳରେ ଯେଉଁ ପ୍ରଦୂଷଣ ସୃଷ୍ଟି ହେଉଛି ତାହା ଫୁସଫୁସ୍‌କୁ ଅତି ଗୁରୁତର କ୍ଷତି ପହଞ୍ଚାଉଛି। ଫୁସଫୁସ୍‌ ଖୁବ୍‌ ଶୀଘ୍ର ବୟସ୍କ ହୋଇ ଯାଉଛି। ବୟସ ଅନୁପାତରେ ଫୁସଫୁସ୍‌ ଅଧିକ ବୟସ୍କ ହୋଇଯିବାପରେ ମଣିଷର ସବୁ ଅଙ୍ଗଗୁଡ଼ିକ ସଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ଶରୀରର ସମସ୍ତ ଅଙ୍ଗ ସଠିକ୍ ଭାବେ କାର୍ଯ୍ୟ କରିବାପାଇଁ ଯେଉଁ ପରିମାଣ‌ରେ ଅମ୍ଳଜାନ ଦରକାର ଶରୀର ସେତିକି ପରିମାଣରେ ଅମ୍ଳଜାନ ଗ୍ରହଣ କରିପାରୁନି। ଏହାଦ୍ବାରା ଶରୀରରେ ସଠିକ୍‌ ଭାବେ ରକ୍ତ ସଞ୍ଚାଳନ ମଧ୍ୟ ହେଉନାହିଁ। ବାୟୁମଣ୍ଡଳରେ ପିଏମ୍‌ ୨.୫ କଣିକାର ସ୍ତର ପ୍ରତିବର୍ଷ ୫ୟୁଜି/ ଏମ୍‌ଥ୍ରି ବୃଦ୍ଧି ପାଉଥିବାରୁ ଏହାଦ୍ବାରା ଫୁସ୍‌ଫୁସ୍‌ର ଆୟୁଷ ମଧ୍ୟ କମିଯାଉଛି। ଜୁଲାଇ ୯, ୨୦୧୭ରୁ ଜୁଲାଇ୯, ୨୦୧୮ ମଧ୍ୟରେ ଦିଲ୍ଲୀର ସର୍ବାଧିକ ପ୍ରଦୂଷିତ ସ୍ଥାନରେ ପିଏମ୍‌ ୨.୫ କଣିକାର ସ୍ତର ୪୧ୟୁଜି/ ଏମ୍‌ଥ୍ରି ବୃଦ୍ଧି ପାଉଥିବାରୁ ସେହି ଅନୁଯାୟୀ ମଣିଷର ଫୁସଫୁସ୍‌ ମଧ୍ୟ ବୟସ୍କ ହୋଇଯାଉଥିବା ଅଧ୍ୟୟନରୁ ଜଣାପଡ଼ିଛି।

ଦିଲ୍ଲୀ ଏବେ ବିଶ୍ବରେ ସର୍ବାଧିକ ପ୍ରଦୂଷିତ ରାଜଧାନୀ ସହର। ଦେଶର ୧୦ ପ୍ରଦୂଷିତ ସହର ମଧ୍ୟରୁ ଶୀର୍ଷ ୫ଟି ମଧ୍ୟରେ ଦିଲ୍ଲୀ ରହୁଛି। ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଦିଲ୍ଲୀରେ ଜଣେ ୪୫ ବର୍ଷ ଲୋକଙ୍କ ଫୁସଫୁସ୍‌ ୬୧ ବର୍ଷ ବୟସ୍କଙ୍କ ଫୁସଫୁସ୍‌ ଭଳି କାର୍ଯ୍ୟ କରୁଛି। ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଏହା ସିଓପିଡି (କ୍ରୋନିକ୍‌ ଅବଷ୍ଟ୍ରକ୍ଟିଭ୍‌ ପୁଲ୍‌ମୋନାରି ଡିଜିଜ୍‌ ) ବୃଦ୍ଧି କରୁଛି। ଏଥିଯୋଗୁଁ ଶରୀରର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡ଼ିକ ମଧ୍ୟ ପ୍ରଭାବିତ ହେଉଛି। ଜିବିଡି (ଗ୍ଲୋବାଲ୍‌ ବର୍ଡେନ୍‌ ଅଫ୍‌ ଡିଜିଜ୍‌) ଅନୁଯାୟୀ ସିଓପିଡି ସାରା ବିଶ୍ବରେରେ ମୃତ୍ୟୁର ତୃତୀୟ ପ୍ରମୁଖ କାରଣ।

ଆଗାମୀ ୧୦ ବର୍ଷ ମଧ୍ୟରେ ସିଓପିଡି ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସାଧାରଣତଃ ବୟସ ବଢ଼ିଲେ ଫୁସ୍‌ଫୁସ୍‌ର କାର୍ଯ୍ୟ କ୍ଷମତା ହ୍ରାସ ପାଇଥାଏ। କିନ୍ତୁ ୟୁରୋପୀୟ ରିସର୍ଚ୍ଚ ଜର୍ନାଲ୍‌ରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି ଯେ ବାୟୁ ପ୍ରଦୂଷଣ ବୟସାଧିକ୍ୟର କାରଣ ହେଉଛି ଏବଂ ପ୍ରଦୂଷିତ ବାୟୁରେ ଶ୍ବାସକ୍ରୀୟା ଦ୍ବାରା ଏହା ଫୁସଫୁସ୍‌ର ଅଧିକ କ୍ଷତି କରୁଛି। ବିଶେଷଜ୍ଞମାନେ ଅଧ୍ୟୟନ ପାଇଁ ‌ଯେଉଁ ପ୍ରଦୂଷଣ ସ୍ତର ବ୍ୟବହାର କରିଛନ୍ତି ସେଗୁଡ଼ିକ ହେଉଛି ପିଏମ୍‌ ୧୦, ପିଏମ୍‌୨.୫, ଏନ୍‌ଓ୨ ଇତ୍ୟାଦି। ବାୟୁ ପ୍ରଦୂଷଣ ଫୁସ୍‌ଫୁସ୍‌ ଉପରେ କିଭଳି ପ୍ରଭାବ ପକାଉଛି ତାହା ଜାଣିବାପାଇଁ ବ୍ୟାପକ ଗବେଷଣା ହୋଇଛି।

ସମ୍ବନ୍ଧିତ ଖବର