ବାୟୁ ପ୍ରଦୂଷଣକୁ ନେଇ ଟାସ୍କଫୋର୍ସର ବୈଠକ : ପରିସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.‌କେ. ମିଶ୍ର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର)ରେ ବାୟୁ ପ୍ରଦୂଷଣ ମାତ୍ରା ଅନୁଧ୍ୟାନ କରାଯାଇଛି । ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ଉଚ୍ଚସ୍ତରୀୟ ଟାସ୍କଫୋର୍ସର ବୈଠକରେ ଯୋଗଦେଇ ଏହି ସମସ୍ୟାର ପୁଙ୍ଖନାପୁଙ୍ଖ ସମୀକ୍ଷା କରିଛନ୍ତି।

ବାୟୁର ଗୁଣବତ୍ତା ଯେପରି ଅଧିକ ହ୍ରାସ ନପାଇବ, ସେଥିପ୍ରତି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରମୁଖ ସଚିବ ଶ୍ରୀମିଶ୍ର ଫସଲ ବର୍ଜ୍ୟ ଜାଳିବା ଉପରେ ପ୍ରଭାବୀ ଢଙ୍ଗରେ କଟକଣା ଜାରି କରିବା ଲାଗି ପଞ୍ଜାବ ଓ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚାଷୀଙ୍କୁ ଫସଲ ବର୍ଜ୍ୟ ଜାଳିବାରୁ ରୋକିବା ନିମନ୍ତେ ପ୍ରଶାସନିକ କଳକୁ ସକ୍ରିୟ କରିବା ଲାଗି ଦୁଇ ରାଜ୍ୟର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଏହି ବୈଠକରେ ଦିଲ୍ଲୀ ସରକାର, ଦିଲ୍ଲୀର ବିଭିନ୍ନ ମହାନଗର ନିଗମ କର୍ତୃପକ୍ଷ, ଆଇଆଇଟି, ଟିଇଆରଆଇଏବଂ ବିଭିନ୍ନ ମନ୍ତ୍ରାଳୟର ବିଶେଷଜ୍ଞମାନେ ଉପସ୍ଥିତ ଥିଲେ । ଧୂଳି ପ୍ରଦୂଷଣ, ନିର୍ମାଣ ଓ ଭଗ୍ନ ପ୍ରକ୍ରିୟାରୁ ସୃଷ୍ଟ ଆବର୍ଜନା ଏବଂ ଶିଳ୍ପ ଓ ବାହନ ଜନିତ ପ୍ରଦୂଷଣକୁ ତୁରନ୍ତ ନିୟନ୍ତ୍ରଣ କରିବା ଲାଗି ପ୍ରମୁଖ ସଚିବ ଶ୍ରୀ ମିଶ୍ର ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ଜନସାଧାରଣଙ୍କ ଅଭିଯୋଗ ଉପରେ ପଦକ୍ଷେପ ନେଇ ଛୋଟରୁ ଛୋଟ ଅଗ୍ନିକାଣ୍ଡ, ଆବର୍ଜନା ଆଦିକୁ ନିୟନ୍ତ୍ରଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଆହୁରି ମଧ୍ୟ ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର