ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ବାଧ୍ୟତାମୂଳକ ସମୟସୀମାକୁ ଉଲ୍ଲଂଘନ କରି କ୍ରମାଗତ ବାଣ ଫୁଟାଯିବା ଦ୍ବାରା ଦୀପାବଳିର ଗୋଟିଏ ଦିନ ପରେ ମଙ୍ଗଳବାର ଦିଲ୍ଲୀର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ‘ଗମ୍ଭୀର’ ବର୍ଗକୁ ଚାଲିଯାଇଛି। ରାଜଧାନୀ ଅଞ୍ଚଳର ହାରାହାରି ଏକ୍ୟୁଆଇ ୪୫୧ରେ ପହଞ୍ଚିଛି, ଯାହା ଜାତୀୟ ହାରାହାରିଠାରୁ ୧.୮ ଗୁଣ ଅଧିକ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟୁରୋ (ସିପିସିବି)ର ବୁଲେଟିନ୍ ଅନୁଯାୟୀ, ସକାଳ ୯ଟାରେ ଦିଲ୍ଲୀର ଏକ୍ୟୁଆଇ ୩୫୨ ରିଡିଂ ସହିତ ‘ଅତ୍ୟନ୍ତ ଖରାପ’ ସ୍ତରକୁ ଉନ୍ନୀତ ହୋଇଛି।

Advertisment

ଦୀପାବଳି ରାତିରେ ଏକ୍ୟୁଆଇ ‘ଅତି ଖରାପ’ ବର୍ଗକୁ ଖସି ଆସିଥିଲା। ମଙ୍ଗଳବାର ସକାଳେ ନୋଏଡା ଓ ଗୁରୁଗାଓଁ ସହରର ଏକ୍ୟୁଆଇ ଯଥାକ୍ରମେ ୪୦୭ ଓ ୪୦୨ରେ ପହଞ୍ଚିଥିଲା। ଗତବର୍ଷ ଦୀପାବଳି ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ (ଏକ୍ୟୁଆଇ ୩୫୯) ବର୍ଗରେ ପହଞ୍ଚିଥିଲା। ୱାଜିରପୁର (୪୩୫), ଦ୍ୱାରକା (୪୨୨), ଅଶୋକ ବିହାର (୪୪୫) ଓ ଆନନ୍ଦ ବିହାର (୪୪୦) ଭଳି ସ୍ଥାନରେ ଅନେକ ମନିଟରିଂ ଷ୍ଟେସନ୍ ରେଡ୍ ଜୋନ୍‌ରେ ଥିଲା। ସୂଚନାଯୋଗ୍ୟ, ୦ରୁ ୫୦ ମଧ୍ୟରେ ଥିବା ଏକ୍ୟୁଆଇକୁ ଭଲ, ୫୧ରୁ ୧୦୦କୁ ସନ୍ତୋଷଜନକ, ୧୦୧ରୁ ୨୦୦କୁ ମଧ୍ୟମ, ୨୦୧ରୁ ୩୦୦କୁ ଖରାପ, ୩୦୧ରୁ ୪୦୦କୁ ଅତ୍ୟନ୍ତ ଖରାପ ଏବଂ ୪୦୧ରୁ ୫୦୦କୁ ଗମ୍ଭୀର ବୋଲି ବିବେଚନା କରାଯାଏ। ୨୦୨୦ ପରଠାରୁ ଜାତୀୟ ରାଜଧାନୀରେ ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଆସୁଛି। ଚଳିତ ବର୍ଷ ସୁପ୍ରିମ୍‌କୋର୍ଟ ଅକ୍ଟୋବର ୧୮ରୁ ୨୦ ପର୍ଯ୍ୟନ୍ତ ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରେ ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ଦେଇଥିଲେ। ତଥାପି ନିର୍ଦ୍ଦିଷ୍ଟ ସମସୟସୀମା ପୂର୍ବରୁ ଓ ପରେ ବାଣ ଫୁଟାଯାଇଥିଲା ଓ କେହି ନିୟମ ପାଳନ କରିନଥିଲେ। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ସବୁଜ ବାଣ ବି ଅଧିକ ପରିମାଣରେ ଫୁଟାଗଲେ, ବିଶେଷକରି ପ୍ରତିକୂଳ ପାଗ ପରିସ୍ଥିତିରେ ଅଧିକ ପ୍ରଦୂଷକ ହୋଇଥାଏ। ଦୀପାବଳି ରାତିରେ ଦିଲ୍ଲୀ ଅଗ୍ନିଶମ ବିଭାଗକୁ ୨୬୯ଟି ଜରୁରିକାଳୀନ କଲ୍ ଆସିଥିଲା। ତେବେ କୌଣସି ବଡ଼ଧରଣର ଦୁର୍ଘଟଣା, ଜୀବନହାନି କିମ୍ବା ଗୁରୁତର ଆହତ ହେବା ଘଟଣା ଘଟି ନଥିବା ଜଣାପଡ଼ିଛି। 

ଗତ ସପ୍ତାହରେ, ବାୟୁ ଗୁଣବତ୍ତାରେ ଅବନତି ଘଟିବାରୁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ (ଜିଆର୍‌ଏପି)ର ଦ୍ୱିତୀୟ ପର୍ଯ୍ୟାୟ ଲାଗୁ କରିଥିଲେ, ଯେଉଁଥିରେ ଧୂଳି ନିୟନ୍ତ୍ରଣ, ସାଧାରଣ ପରିବହନ ସେବାର ସମ୍ପ୍ରସାରଣ ଓ ଡିଜେଲ ଜେନେରେଟର ସେଟ୍ ଉପରେ ପ୍ରତିବନ୍ଧକ ଅନ୍ତର୍ଭୁକ୍ତ। ଦିଲ୍ଲୀ-ଏନ୍‌ସିଆର କର୍ତ୍ତୃପକ୍ଷ ପ୍ରତିଦିନ ଯାନ୍ତ୍ରିକ ଝାଡୁ କରିବା ଏବଂ ରାସ୍ତାରେ ପାଣି ଛିଞ୍ଚିବା ଆରମ୍ଭ କରିସାରିଛନ୍ତି। ପାଣିପାଗ ବିଭାଗ କହିଛି ଯେ ଧୀର ପବନ ହେତୁ ଧୂଆଁକୁହୁଡ଼ି ପରିସ୍ଥିତି ଜାରି ରହିବ। ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୧-୩୩ ଡିଗ୍ରି ଓ ୨୦-୨୨ ଡିଗ୍ରି ମଧ୍ୟରେ ରହିବ।