ଦିଲ୍ଲୀରେ ବାୟୁ ମାନ ପୁଣି ସାଂଘାତିକ, ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟ ବନ୍ଦ

ନୂଆଦିଲ୍ଲୀ: ରବିବାର ଦିଲ୍ଲୀ ବାୟୁମାନ ପୁଣି ସାଂଘାତିକ ସ୍ତରକୁ ଆସିଯାଇଛି । ପ୍ରାୟ ୧ ମାସ ଧରି ଏହା ‘ଅତି ଖରାପ’ ବର୍ଗରେ ରହିଥିବା ବେଳେ ଦୁଇ ସପ୍ତାହ ହେଲା ‘ଖରାପ’ ଶ୍ରେଣୀକୁ ଆସିଥିଲା। ତେବେ ଆଜି ଏହା ପୁଣି ସାଂଘାତିକ ସ୍ତରକୁ ଆସିବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଦିଲ୍ଲୀରେ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯିବା ସହ ପ୍ରଦୂଷଣ ସୃଷ୍ଟିକାରୀ କାରଖାନାଗୁଡ଼ିକୁ ମଧ୍ୟ ବନ୍ଦ ରଖାଯାଇଛି । ଧୂଆଁର ଘନ ବାଦଲ ଜାତୀୟ ରାଜଧାନୀ ଅଞ୍ଚଳକୁ ଆଚ୍ଛାଦିତ କରି ରଖିଛି। ଦିଲ୍ଲୀର ବାୟୁ ଗୁଣବତ୍ତା (ଏକ୍ୟୁଆଇ) ଆଜି ‘ସାଂଘାତିକ’ ବର୍ଗକୁ ଆସିବା ପରେ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ତତ୍କାଳ କଟକଣା ଜାରି ହୋଇଥିଲା। ସକାଳେ ଦିଲ୍ଲୀର ହାରାହାରି ଏକ୍ୟୁଆଇ ୪୦୦ ଥିବାବେଳେ ନଏଡା ଏବଂ ଗୁରୁଗ୍ରାମରେ ଏହା ୪ ଶହ ଅତିକ୍ରମ କରିଛି।

ବାହାର ଟ୍ରକ୍ ଏବଂ କାର୍‌ଗୁଡ଼ିକୁ ଜାତୀୟ ରାଜଧାନୀରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଜଣାପଡ଼ିଛି। ଜାତୀୟ ରାଜଧାନୀରେ ସୁସ୍ଥ ଲୋକମାନେ ଧୂଆଁ ଓ ବାୟୁ ପ୍ରଦୂଷଣ ହେତୁ ଅଣନିଶ୍ବାସୀ ଲାଗିବା ଓ ଆଖି ପୋଡ଼ିବା ଆଦି ଅଭିଯୋଗ କରୁଛନ୍ତି। ନଭେମ୍ବର ପ୍ରଥମ ସପ୍ତାହରେ ଦିଲ୍ଲୀରେ ଏକ୍ୟୁଆଇ ୫୦୦ ଟପିଥିବା ବେଳେ ଏବେ ହରିୟାଣାରେ ନଡ଼ାପୋଡି ହ୍ରାସ ସତ୍ତ୍ବେ‌ ପୁଣି ବାୟୁମାନ ସାଂଘାତିକସ୍ତରକୁ ଯିବା ଚିନ୍ତାର କାରଣ ହୋଇଛି । ଆଗକୁ ପରିସ୍ଥିତି ଯଦି ଅଧିକ ଖରାପ ଆଡ଼କୁ ଯିବ ତେବେ ପୁଣି ପୂର୍ବ ଭଳି କଠୋର କଟକଣା ଲାଗୁ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର