ଆରମ୍ଭ ହେଲା ବିମାନ ସେବା: ପ୍ରଥମ ଦିନରେ ୫୩୨ ବିମାନ ଉଡ଼ିଲା, ୮୨ ବାତିଲ

ନୂଆଦିଲ୍ଲୀ: ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜି ଦେଶରେ ପୁଣି ଘରୋଇ ବିମାନ ସେବା ଆରମ୍ଭ‌ ହୋଇଛି। ପ୍ରଥମ ଦିନରେ ୫୩୨ଯି ବିମାନ ଉଡ଼ାଣ ଭରିଛି ଏବଂ ଏଥିରେ ୩୯,୨୩୧ ଜଣ ଯାତ୍ରୀ ଯାତ୍ରା କରିପାରିଛନ୍ତି। କିନ୍ତୁ ବିଭିନ୍ନ ରାଜ୍ୟରେ ବିମାନ ଅବତରଣ ନେଇ ରହିଥିବା କଟକଣା ଓ ଅନ୍ୟାନ୍ୟ କାରଣ ଯୋଗୁଁ ପ୍ରଥମ ଦିନରେ ୮୨ଟି ବିମାନ ବାତିଲ ମଧ୍ୟ ହୋଇଛି। ଏଥିଯୋଗୁଁ ବିଭିନ୍ନ ବିମାନ ବନ୍ଦରରେ ହଜାର ହଜାର ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଟିକେଟ୍‌ କାଟିଥିବା ଯାତ୍ରୀମାନେ ଯାତ୍ରା କରି ନପାରି ନିଜ ଅସୁବିଧାକୁ ନେଇ ଅଭିଯୋଗ କରିଛନ୍ତି। କମ୍‌ ସମୟ ମଧ୍ୟରେ ବିମାନ ସବୁକୁ ବାତିଲ କରାଯିବା, ଯାତ୍ରୀମାନଙ୍କୁ ବିମାନଚାଳନା ସଂସ୍ଥାମାନେ ଏ ନେଇ ସୂଚନା ନଦେବା ଫଳରେ ଯାତ୍ରୀମାନେ ବିମାନବନ୍ଦରକୁ ଆସିସାରିବା ପରେ ନିରାଶ ହୋଇଥିଲେ।

ଲକ୍‌ଡାଉନ୍‌ ପରେ ଦିଲ୍ଲୀରୁ ପ୍ରଥମ ବିମାନ ପୁଣେ ଯାଇଥିବା ବେଳେ ଦିଲ୍ଲୀକୁ ପ୍ରଥମ ବିମାନ ଅହମଦାବାଦରୁ ଆସିଛି। ଏକ ଭିସ୍ତାରା ବିମାନରେ ଓଡ଼ିଆ ଚିତ୍ରତାରକା ତଥା ଲୋକସଭା ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀରୁ ଭୁବନେଶ୍ୱର ଆସିଛନ୍ତି। ମାର୍ଚ ମାସରେ ବଜେଟ୍‌ ଅଧିବେଶନ ବେଳଠୁ ସେ ଦିଲ୍ଲୀରେ ଫସିରହିଥିଲେ। ଅଧିକାରୀମାନଙ୍କ କଥାନୁଯାୟୀ କେବଳ ଦିଲ୍ଲୀରୁ ଏକାଧିକ ବିମାନ ବାତିଲ ହୋଇଛି। ବିମାନ ବାତିଲ ହେବା ଦ୍ୱାରା ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ବି ଶହ ଶହ ଯାତ୍ରୀ ହଇରାଣ ହୋଇଛନ୍ତି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଗତ ଗୁରୁବାର ମାର୍ଗଦର୍ଶିକା ଜାରି କରିଥିଲେ ମଧ୍ୟ ତାହା ରାଜ୍ୟ ସରକାରଙ୍କ କଟକଣାକୁ ଭେଦ କରିପାରି ନାହିଁ।

ସମ୍ବନ୍ଧିତ ଖବର