ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ବାୟୁସେନାର ସିଭିଲ ଇଞ୍ଜିନିୟର ଏସଏନ ମିଶ୍ରା (୫୧)ଙ୍କୁ ଶନିବାର ଗୁଳି କରି ହତ୍ୟା କରାଯାଇଛି। କଡ଼ା ସୁରକ୍ଷାବଳୟ ମଧ୍ୟ‌ରେ ବାୟୁସେନାର ସଭିଲ ଇଞ୍ଜିନିୟରଙ୍କୁ ଜଣେ ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରି ଚାଲିଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେବା ସହିତ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

Advertisment

ସୂଚନାଯୋଗ୍ୟ, ଶନିବାର ଭୋର ୩ଟା ସମୟରେ ବାୟୁସେନାର ସିଭିଲ ଇଞ୍ଜିନିୟର ଏସଏନ ମିଶ୍ରାଙ୍କ କୋଠା ପାଖରେ ଛିଡ଼ା ହୋଇ କେହି ଜଣେ ତାଙ୍କ ନାମ ଧରି ଡାକ ପକାଇଥିଲେ।  କେହି ଜଣେ ଡାକୁଥିବା ଶୁଣି ମିଶ୍ରା ସଙ୍ଗେସଙ୍ଗେ ଶୋଇଥିବା ଘରର ଝରକା ଖୋଲି ଦେଇଥିଲେ। ଯେମିତି ହିଁ ସେ ଝରକା ଖୋଲିଥିଲେ ଆକ୍ରମଣକାରୀ ତାଙ୍କ ଛାତକୁ ଗୁଳି କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। 

ଗୁଳି ଶବ୍ଦ ଶୁଣି ସୁରକ୍ଷାକର୍ମୀ ଓ ପରିବାରଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଗୁରୁତର ଅବସ୍ଥାରେ ମିଶ୍ରାଙ୍କୁ ଉଦ୍ଧାର କରି ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 
ପୁଲିସ ଘଟଣାକୁ ଗମ୍ଭୀରତା ସହ ନେଇ ମିଶ୍ରାଙ୍କ କୋଠାର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ଯାଞ୍ଚ ଆରମ୍ଭ କରିଛନ୍ତି। 

ଏହି ଦୁଃଖଦ ଘଟଣାକୁ ‌ନେଇ ବାୟୁସେନାର ସିଭିଲ ଇଞ୍ଜିନିୟର ଏସଏନ ମିଶ୍ରାଙ୍କ ଧର୍ମପତ୍ନୀ ଓ ପୁଅ ପୁଲିସକୁ କହିଛନ୍ତି, ‘ଆକ୍ରମଣକାରୀ ଯୋଜନା କରି ମିଶ୍ରାଙ୍କ ହତ୍ୟା କରିଛନ୍ତି। କାରଣ ଘରେ ଶୋଇଥିବା ବେଳେ ଆମେ ପ୍ରଥମେ ଶୁଣିବାକୁ ପାଇଲୁ କେହି ଜଣେ ବାହାରେ ଛିଡ଼ା ହୋଇ ଏସଏନ ମିଶ୍ରାଙ୍କ ନାମ ଧରି ଡାକୁଛି। ତା’ପରେ ଯେମିତି ମିଶ୍ରା ଝରକା ଖୋଲିଛନ୍ତି। କେହି କିଛି ବୁଝିବା ପୂର୍ବରୁ ଗୁଳିଶବ୍ଦ ହୋଇଥିଲା। ଆଉ ସଙ୍ଗେସଙ୍ଗେ ମିଶ୍ରା ରକ୍ତାକ୍ତ ଅବସ୍ଥା ତଳେ ପଡ଼ିଯାଇଥିଲେ। ତାଙ୍କର କାହାରି ସହିତ କୌଣସି ପ୍ରକାର ଶତ୍ରୁତା ନଥିଲା। ଏହାପରେ ବି ତାଙ୍କୁ କିଏ କାହିଁକି ହତ୍ୟା କଲା ସେନେଇ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି।