କରୋନା ଭାଇରସ ଆତଙ୍କ : ଚୀନକୁ ବିମାନସେବା ବନ୍ଦ କଲେ ଏୟାରଇଣ୍ଡିଆ, ଇଣ୍ଡିଗୋ

ନୂଆଦିଲ୍ଲୀ : କରୋନା ଭାଇରସ ଯୋଗୁଁ ଏବେ ସୁଦ୍ଧା ଚୀନରେ ପ୍ରାୟ ୧୭୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରେଇସାରିଲେଣି । ଆହୁରି ପ୍ରାୟ ୭୭୧୧ ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ଫଳରେ ଚୀନକୁ ବିଶ୍ୱର ପ୍ରମୁଖ ବିମାନସେବା କମ୍ପାନିମାନେ ନିଜର ବିମାନ ସେବାକୁ ସୀମିତ କରିଦେଇଛନ୍ତି । ଭାରତର କେତେକ ବିମାନସେବା କମ୍ପାନି ମଧ୍ୟ ଚୀନକୁ ବିମାନ ଚଳାଚଳ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏସବୁ କମ୍ପାନିଙ୍କ ମଧ୍ୟରେ ରହିଛନ୍ତି ଏୟାରଇଣ୍ଡିଆ ଓ ଇଣ୍ଡିଗୋ ପରି କମ୍ପାନି । ଏୟାର ଇଣ୍ଡିଆର ମୁମ୍ବାଇ-ଦିଲ୍ଲୀ-ସାଂଘାଇ ଫ୍ଲାଇଟ ଡିସେମ୍ବର ୩୧ରୁ ଫେବ୍ରୁଆରି ୧୪ ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ଇଣ୍ଡିଗୋ ମଧ୍ୟ ନିଜର ଦିଲ୍ଲୀ-ଚେଙ୍ଗଡୁ ଓ ବାଙ୍ଗାଲୁରୁ ହଂକଂ ଫ୍ଲାଇଟକୁ ଫେବ୍ରୁଆରି ୧ରୁ ୨୦ ପର୍ଯ୍ୟନ୍ତ ବନ୍ଦ କରିବାକୁ ଘୋଷଣା କରିଛି । ତେବେ ଇଣ୍ଡିଗୋ ନିଜର କୋଲକତା-ଗୁଆନଝୁ ଫ୍ଲାଇଟ ଜାରି ରଖିବାକୁ ନିଷ୍ପତ୍ତି ନେଇଛି । ସେହିପରି ଏୟାର ଇଣ୍ଡିଆ ନିଜର ଦିଲ୍ଲୀ-ହଂକଂ ଫ୍ଲାଇଟ ଜାରି ରଖିବ । କିନ୍ତୁ ଏହା ସପ୍ତାହକୁ ମାତ୍ର ୩ ଥର ଚାଲିବ ।

ଅନ୍ୟପକ୍ଷରେ ଚୀନରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଭାରତ ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ଓ ଏଥିପାଇଁ ୨ଟି ବିମାନ ମଧ୍ୟ ପ୍ରସ୍ତୁତ ହୋଇରହିଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଉହାନ ଓ ଅନ୍ୟ ସହରରେ ଥିବା ଭାରତୀୟଙ୍କୁ ଆଣିବା ପାଇଁ ଦୁଇଟି ବିମାନ ପଠାଇବାକୁ ଭାରତ ସରକାର ଚୀନକୁ ପ୍ରସ୍ତାବ ଦେଇଛନ୍ତି ଓ ଚୀନର ଅନୁମତିକୁ ଅପେକ୍ଷା କରାଯାଇଛି ।

ସମ୍ବନ୍ଧିତ ଖବର