ଲକ୍‌ଡାଉନ୍ ଯୋଗୁଁ ବାତିଲ ହୋଇଥିବା ବିମାନର ପୂର୍ଣ୍ଣ ଟିକେଟ୍ ମୂଲ୍ୟ ଫେରସ୍ତ ଲାଗି ‘ଡିଜିସିଏ’ର ଯୋଜନାକୁ ସୁପ୍ରିମ୍ କୋର୍ଟଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ଲକ୍‌ଡାଉନ୍ ଯୋଗୁଁ ବାତିଲ ହୋଇଥିବା ବିମାନର ପୂର୍ଣ୍ଣ ଟିକେଟ୍ ମୂଲ୍ୟ ଫେରସ୍ତ ଲାଗି ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍ ସିଭିଲ୍‌ ଆଭିଏସନ୍’ର ଯୋଜନାକୁ ଆଜି ସୁପ୍ରିମ୍ କୋର୍ଟ ମଞ୍ଜୁର୍‌ କରିଛନ୍ତି। ତେଣୁ, ଏୟାର୍‌ଲାଇନ୍‌ମାନଙ୍କୁ କୋଭିଡ୍‌-୧୯ ଲକ୍‌ଡାଉନ୍ ପୂର୍ବରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ଯାତ୍ରା ନିମନ୍ତେ ବୁକିଙ୍ଗ୍ ହୋଇଥିବା ଟିକେଟ୍‌ର ପୂର୍ଣ୍ଣ ମୂଲ୍ୟ ଫେରସ୍ତ ଦେବାକୁ ପଡ଼ିବ।

ଏ ବର୍ଷ ମାର୍ଚ ୨୫ ତାରିଖରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ଜନିତ କଟକଣା ଯୋଗୁଁ ବାତିଲ ହୋଇଥିବା ଟିକେଟ୍‌ ପ୍ରାପ୍ୟ ଫେରସ୍ତ ଦେବା ନିମନ୍ତେ ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ ‘ଡିଜିସିଏ’ ଏକ ଡ୍ରାଫ୍ଟ୍‌ ପ୍ରସ୍ତୁତ କରିଥିଲେ।

ଏଥିରେ ଏୟାର୍‌ଲାଇନ୍‌ମାନଙ୍କୁ ଟିକେଟ୍‌ ମୂଲ୍ୟ ଫେରସ୍ତ କରିବାର ବିକଳ୍ପ ଭାବେ ସମ୍ପୃକ୍ତ ଯାତ୍ରୀଙ୍କ ନାମରେ ‘କ୍ରେଡିଟ୍ ସେଲ୍‌’ ବ୍ୟବସ୍ଥା କରିବାକୁ ସୁଯୋଗ ଦିଆଯାଇଛି। ‘କ୍ରେଡିଟ୍ ସେଲ୍‌’ରେ ‌ଯାତ୍ରୀଜଣକ ୨୦୨୧ ମାର୍ଚ ୩୧ ପୂର୍ବରୁ ଯେକୌଣସି ରୁଟ୍‌ରେ ବିମାନଯାତ୍ରା କରିପାରିବେ।

Image Courtesy of Hindustan Times

ଏହି କ୍ରେଡିଟ୍‌ସେଲ୍‌କୁ ଅନ୍ୟ ବ୍ୟକ୍ତିବିଶେଷଙ୍କ ନାଁ’କୁ ପରିବର୍ତ୍ତନ କରାଯାଇ ପାରିବ। ଅର୍ଥାତ୍ ପ୍ରଥମେ ଟିକେଟ୍ କାଟିଥିବା ବ୍ୟକ୍ତି ବାତିଲ ହୋଇଥିବା ଟିକେଟ୍‌କୁ ଅନ୍ୟ ବ୍ୟକ୍ତିଙ୍କୁ ଦେଇପାରି‌ବେ। ଏହାଛଡ଼ା ‘କ୍ରେଡିଟ୍‌ ସେଲ୍‌’ ଅର୍ଥ ଉପରେ ସୁଧ ମିଳିବା ବ୍ୟବସ୍ଥା ମଧ୍ୟ ରହିଛି। ଟିକେଟ୍ ବାତିଲ ହେବା ତାରିଖରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଟିକେଟ୍ ମୂଲ୍ୟ ଉପରେ ୦.୫% ଏବଂ ତା’ପରେ ୨୦୨୧ ମାର୍ଚ ୩୧ ପର୍ଯ୍ୟନ୍ତ ୦.୭୫% ସୁଧ ଦିଆଯିବ ବୋଲି ସୁପ୍ରିମ୍ କୋର୍ଟଙ୍କ ତିନିଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ରାୟ ଦେଇଛନ୍ତି।

ବିଚାରପତି ଅଶୋକ ଭୂଷଣ, ଆର୍‌ଏସ୍‌ ରେଡ୍ଡୀ ଏବଂ ଏମ୍‌ଆର୍‌ ଶାହାଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ କହିଛନ୍ତି ଯେ, ଟ୍ରାଭେଲ୍‌ ଏଜେଣ୍ଟ୍‌ଙ୍କ ମାଧ୍ୟମରେ ବୁକ୍ କରାଯାଇଥିବା ଟିକେଟ୍‌ର ଫେରସ୍ତ ମୂଲ୍ୟ ମଧ୍ୟ ଟ୍ରାଭେଲ୍‌ ଏଜେଣ୍ଟ୍‌ଙ୍କ ମାଧ୍ୟମରେ ଫେରସ୍ତ କରାଯିବ।

‘ପ୍ରବାସୀ ଲିଗାଲ୍‌ ସେଲ୍’ ଏବଂ ‘ଏୟାର୍‌ ପାସେଞ୍ଜର୍ସ ଆସୋସିଏସନ୍’ ଦାଏର କରିଥିବା ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍ କୋର୍ଟ ଏହି ଆଦେଶ ଦେଇଛନ୍ତି। ଲକ୍‌ଡାଉନ୍ ପୂର୍ବରୁ ବୁକ୍ ‌କରାଯାଇଥିବା ଟିକେଟ୍‌ର ମୂଲ୍ୟ ତୁରନ୍ତ ଫେରସ୍ତ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ।

ଏହାଛଡ଼ା, ଲକ୍‌ଡାଉନ୍‌ ସମୟରେ (ମାର୍ଚ ୨୪ରୁ ଏପ୍ରିଲ୍ ୧୪) ବୁକ୍ ହୋଇଥିବା ଟିକେଟ୍‌ର ମୂଲ୍ୟ ତୁରନ୍ତ ଫେରସ୍ତ ଦେବାକୁ ଏପ୍ରିଲ୍ ୧୬ ତାରିଖ ଦିନ ‘ଡିଜିସିଏ’ ବିଜ୍ଞପ୍ତି ଜାରି କରିଥିଲେ। ଉକ୍ତ ଆଦେଶନାମା ମଧ୍ୟ ଅପରିବର୍ତ୍ତିତ ରହିଛି।

ସମ୍ବନ୍ଧିତ ଖବର