ଅଧିକ ସଂଖ୍ୟକ ଫ୍ଲାଇଟ୍‌ ଚଳାଚଳ ପାଇଁ ଏୟାରଲାଇନ୍ସମାନଙ୍କୁ ଅନୁମତି ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଏୟାରଲାଇନ୍ସମାନଙ୍କୁ ନିଜର କୋଭିଡ ପୂର୍ବ ଘରୋଇ ଫ୍ଲାଇଟ (ବା ସମୟବଦ୍ଧ ଉଡ଼ାଣ) ସଂଖ୍ୟାର ପ୍ରାୟ ୭୫ ପ୍ରତିଶତ ଚଳାଚଳ ନିମନ୍ତେ ଅନୁମତି ଦେବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିଚାର କରୁଛି । ଆସନ୍ତା ୭-୧୦ ଦିନ ପର୍ଯ୍ୟନ୍ତ ଯାତ୍ରୀସଂଖ୍ୟା ଭଲ ରହିଲେ ମନ୍ତ୍ରାଳୟ ଏଥିପାଇଁ ଅନୁମତି ଦେଇପାରେ ।

ଗତ ସେପ୍ଟେମ୍ବର ୨ ତାରିଖରେ ଭାରତ ସରକାର କହିଥିଲେ ଯେ ଏୟାରଲାଇନ୍ସମାନେ କୋଭିଡ ଆରମ୍ଭ ହେବା ପୂର୍ବରୁ ଯେତିକି ଫ୍ଲାଇଟ ଚଳାଚଳ କରୁଥିଲେ, ତାହାର ୬୦ ପ୍ରତିଶତ ପର୍ଯ୍ୟନ୍ତ ଚଳାଚଳ କରିପାରିବେ । ଏବେ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏହାକୁ ୭୫ ପ୍ରତିଶତକୁ ବୃଦ୍ଧି କରିବାକୁ ବିଚାର କରୁଛନ୍ତି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ।

କରୋନାଭାଇରସ ବ୍ୟାପିବା ପରେ ସରକାର ଗତ ମାର୍ଚ୍ଚ ୨୪ରେ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ ବିମାନଚଳାଚଳକୁ ବନ୍ଦ କରିଥିଲେ । ଏହାର ଦୁଇ ମାସ ପରେ ଅର୍ଥାତ, ମେ ୨୫ରେ ସରକାର ମାତ୍ର ୩୩ ପ୍ରତିଶତ ଫ୍ଲାଇଟ ଚଳାଚଳକୁ ଅନୁମତି ଦେଇଥିଲେ । ଏହାର ପ୍ରାୟ ମାସକ ପରେ ଅର୍ଥାତ ଜୁନ ୨୬ରେ ସରକାର ଏୟାରଲାଇନ୍ସମାନଙ୍କୁ ନିଜ କୋଭିଡ-ପୂର୍ବ ଫ୍ଲାଇଟ୍‌ ସଂଖ୍ୟାର ୪୫ ପ୍ରତିଶତ ଚଳାଚଳ ପାଇଁ ଅନୁମତି ଦେଇଥିଲେ । ମାତ୍ର ସରକାର ଏବେ ବି ଅନ୍ତର୍ଜାତୀୟ ବିମାନସେବାକୁ ଅନୁମତି ଦେଇନାହାନ୍ତି ।

ସମ୍ବନ୍ଧିତ ଖବର