ବିମାନଯାତ୍ରା: କାହା ପାଇଁ କେମିତି!

୧୦ ଚାଷୀଙ୍କ ବିମାନଯାତ୍ରା ସାକାର କଲେ କ୍ଷେତ ମାଲିକ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ତିରିଗୁର ଗ୍ରାମ ସ୍ଥିତ ଏକ ଛତୁ ଫାର୍ମରେ କାମ କରୁଥିବା କିଛି ଶ୍ରମିକଙ୍କ ବିମାନଯାତ୍ରାକୁ ସତ କରିଛନ୍ତି ଛତୁଫାର୍ମର ମାଲିକ ପନ୍ନନ ସିଂହ ଗେହଲଟ୍‌। ବିହାର ସମସ୍ତିପୁର ଜିଲ୍ଲାର ଏହି ଦାଦନ ଶ୍ରମିକମାନେ ପନ୍ନନଙ୍କ ଫାର୍ମରେ ରହି ବର୍ଷ ତମାମ କାମ କରୁଥିବା ବେଳେ ବର୍ଷକୁ ଥରେ ମାର୍ଚ୍ଚ ମାସରେ ହିଁ ନିଜ ଗ୍ରାମକୁ ବୁଲିବାକୁ ଆସିଥାନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ମହାମାରୀ କରୋନା ଲକ୍‌ଡାଉନ୍ ଜାରି ହେବା ପରେ ଏହି ଶ୍ରମିକମାନେ ଉକ୍ତ ଛତୁଫାର୍ମରେ ହିଁ ଦୁଇ ମାସ ହେଲା ଏକରକମ ବନ୍ଦୀ ଜୀବନଯାପନ କରି ଆସୁଥିଲେ। ତେବେ ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ଲକ୍ଷ ଲକ୍ଷ ଦାଦନ ଶ୍ରମିକ ଯେପରି ନିଜ ରାଜ୍ୟକୁ ଫେରିବାକୁ ହରକତ ହେଉଥିଲେ, ଏହି ଶ୍ରମିକମାନେ ସେଭଳି ନହେବାକୁ ମାଲିକ ପନ୍ନନ ଯତ୍ନବାନ ଥିଲେ। ସେଥି ଲାଗି ସ୍ବତନ୍ତ୍ର ଶ୍ରମିକ ଏକ୍ସପ୍ରେସ ଗାଡ଼ିରେ ସମସ୍ତଙ୍କର ଟିକେଟ୍ କାଟିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ଧୁ ଧୁ ଖରାରେ ଦିନ ତମାମ ଧାଡି଼ରେ ଠିଆ ହୋଇ ସୁଦ୍ଧା ପ୍ରବଳ ଗହଳି ଯୋଗୁଁ ସେମାନଙ୍କର କାହାର ରେଳରେ ପଞ୍ଜୀକରଣ ହୋଇପାରିନଥିଲା। ଅପରପକ୍ଷେ, ରାସ୍ତାରେ ଘରମୁହାଁ ପ୍ରବାସୀ ଶ୍ରମିକଙ୍କର ଅକଥନୀୟ ଦୁର୍ଦ୍ଦଶା ପନ୍ନନଙ୍କୁ ଆହୁରି କଷ୍ଟ ଦେଇଥିଲା।

ସରକାର ଘରୋଇ ବିମାନ ଚଳାଚଳ ଆରମ୍ଭ କରାଇବା ପରେ ସେ ସେଥିରେ ତାଙ୍କ ପ୍ରିୟ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ଲାଗି ଶେଷରେ ଗୁରୁବାର ସକାଳେ ଏକ ଇଣ୍ତିଗୋ ଉଡା଼ଜାହାଜରେ ପଠାଇବାର ବ୍ୟବସ୍ଥା କଲେ। ଏହି ଦାଦନ ଶ୍ରମିକମାନେ ଦିଲ୍ଲୀରୁ ପାଟନା ଅଭିମୁଖେ ଯାତ୍ରା କରିଛନ୍ତି। ହୃଦୟବାନ ମାଲିକଙ୍କ ଯୋଗୁଁ ନିଜ ଗ୍ରାମର ପ୍ରଥମ ବିମାନଯାତ୍ରୀର ମାନ୍ୟତା ଲାଭ କରି ଆତ୍ମହରା ହୋଇପଡି଼ଛନ୍ତି କୃଷିଶ୍ରମିକମାନେ।

ସମ୍ବନ୍ଧିତ ଖବର