୮ ବର୍ଷରେ ଦେଶରେ ଦୁଇ ଗୁଣ ବଢ଼ିଲାଣି ବିମାନବନ୍ଦର ସଂଖ୍ୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୋଆରେ ମୋପା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବେ। ଅନ୍ୟପଟେ ଦେଶରେ ୨୦୧୪ ମସିହା ତୁଳନାରେ ବିମାନବନ୍ଦର ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦେଶରେ କାର୍ଯ୍ୟକ୍ଷମ ବିମାନବନ୍ଦର ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ୭୪ରୁ ୧୪୦କୁ ବୃଦ୍ଧି ପାଇଛି। ସେହିପରି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୨୦ ବିମାନବନ୍ଦରର ବିକାଶ ତଥା କାର୍ଯ୍ୟକ୍ଷମ କରିବାକୁ ସରକାର ଯୋଜନା କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ଦେଶରେ ଗମନାଗମନ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଏବଂ ବିଭିନ୍ନ ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରି ନେତୃତ୍ୱ ନେଉଛନ୍ତି। ସେ ନଭେମ୍ବରରେ ଅରୁଣାଚଳ ପ୍ରଦେଶର ଇଟାନଗରରେ ଗ୍ରୀନଫିଲ୍ଡ ଡୋନି ପୋଲୋ ବିମାନବନ୍ଦରର ଉଦଘାଟନ କରିଥିଲେ, ଜୁଲାଇରେ ଦେଓଘର ବିମାନବନ୍ଦରର ଉଦଘାଟନ କରିଥିଲେ | ଗତ ବର୍ଷ ନଭେମ୍ବରରେ ଉତ୍ତରପ୍ରଦେଶର ଜେବରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଗତ ବର୍ଷ ଅକ୍ଟୋବରରେ କୁଶିନଗର ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରାଯାଇଥିଲା।

ସୂଚନା ଥାଉ କି ଯେ ନଭେମ୍ବର ୨୦୧୬ରେ ମୋପା ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ କରିଥିଲେ | ଗୋଆର ଏହା ଦ୍ୱିତୀୟ ବିମାନବନ୍ଦର ହେବ, ପ୍ରଥମଟି ଡାବୋଲିମରେ ରହିଛି | ଅଧିକାରୀ କହିଛନ୍ତି ଯେ ଡାବୋଲିମ୍ ବିମାନବନ୍ଦର ତୁଳନାରେ ମୋପା ବିମାନବନ୍ଦର ବଡ ହେବ। ଡାବୋଲିମ୍ ବିମାନବନ୍ଦରର ବର୍ତ୍ତମାନର ଯାତ୍ରୀ କ୍ଷମତା ଅପେକ୍ଷା ମୋପା ବିମାନବନ୍ଦର କାର୍ଯ୍ୟକ୍ଷମ ହେଲେ ସହିତ ସମୁଦାୟ ଯାତ୍ରୀ କ୍ଷମତା ପ୍ରାୟ ଦ୍ବିଗୁଣିତ ହେବ | ଉଲ୍ଲେଖ ଥାଉ କି ଡାବୋଲିମ୍ ବିମାନବନ୍ଦରରେ ବର୍ତ୍ତମାନ ୧୫ଟି ଘରୋଇ ଏବଂ ୬ଟି ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ସହିତ ସିଧାସଳଖ ସଂଯୋଗ କରୁଥିବା ବିମାନ ଚଳାଚଳ କରୁଥିବାବେଳେ ନୂତନ ବିମାନ ବନ୍ଦର ସହିତ ଏହା ବର୍ତ୍ତମାନ ୩୫ଟି ଘରୋଇ ଏବଂ ୧୮ଟି ଆନ୍ତର୍ଜାତୀୟ ଗନ୍ତବ୍ୟ ସ୍ଥଳକୁ ବୃଦ୍ଧି ପାଇବ | ମୋପା ବିମାନବନ୍ଦରରେ ନାଇଟ୍ ପାର୍କିଂ ସୁବିଧା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି, ଯାହା ଡାବୋଲିମ୍ ବିମାନବନ୍ଦରରେ ଉପଲବ୍ଧ ନାହିଁ |

ସମ୍ବନ୍ଧିତ ଖବର