ଅଗଷ୍ଟ ୩୧ ସୁଦ୍ଧା ସରିବ ଉଦ୍ଧାର ପ୍ରକ୍ରିୟା: ତାଲିବାନ ଦଖଲରେ ବିମାନବନ୍ଦର

କାବୁଲ : ତାଲିବାନ ବାହିନୀ ଆଜି କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରର ସମସ୍ତ ପ୍ରମୁଖ ଅଂଚଳକୁ ନିଜ ନିୟନ୍ତ୍ରଣକୁ ନେଇଛି। ଏହି ବିମାନ ବନ୍ଦରର ୩ଟି ମୁଖ୍ୟ ଗେଟ୍‌ର ପୂର୍ଣ୍ଣ ନିୟନ୍ତ୍ରଣ ତାଲିବାନ ନିଜ ହାତକୁ ନେବା ସହ ଏସବୁ ଅଂଚଳରେ ମୁତୟନ ଥିବା ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରର ସୈନିକମାନଙ୍କୁ ତତ୍କାଳ ଖାଲି କରାଇଛି। ଇତିମଧ୍ୟରେ ଆମେରିକାର ଉଦ୍ଧାର ପ୍ରକ୍ରିୟା ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଆଜି ରାତି ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ସମ୍ଭାବନା ରହିଛି। କେବଳ ୧ ହଜାର ଲୋକ ଏୟାରପୋର୍ଟରେ ଦେଶ ଛାଡ଼ିବାକୁ ଅପେକ୍ଷା କରିଛନ୍ତି ଏବଂ ଏଥିପାଇଁ ଆମେରିକାର ବିମାନ ପ୍ରସ୍ତୁତ ରହିଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସମଗ୍ର ବିମାନ ବନ୍ଦରକୁ ତାଲିବାନ ନିୟନ୍ତ୍ରଣ କରିବ ଏବଂ ଏହାର ନିଜସ୍ବ ନୀତି ମୁତାବକ ଉଡ଼ାଣ ପାଇଁ ଅନୁମତି ମିଳିବ ବୋଲି ଜଣାପଡ଼ିଛି। ତାଲିବାନ ଦେଇଥିବା ସମୟ ସୀମା ଅଗଷ୍ଟ ୩୧ରେ ଶେଷ ହେଉଥିବାରୁ ଏହାର ଦିନକ ପୂର୍ବରୁ ସବୁ ପ୍ରକ୍ରିୟା ଶେଷ କରି ଆଫ୍‌ଗାନିସ୍ତାନରୁ ବିଦାୟ ନେବାକୁ ଆମେରିକା ପ୍ରସ୍ତୁତି ଚଳାଇଛି।

ଉଦ୍ଧାର ପ୍ରକ୍ରିୟା ଜାରି ରଖିବା ପାଇଁ କୌଣସି ନିବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି ତାଲିବାନ ପ୍ରବକ୍ତା ବାରମ୍ବାର କହିଥିବାରୁ ଆମେରିକା ଏହାକୁ ଗମ୍ଭୀରତାର ସହ ନେଇଛି। ଆଜି ରାତି ସୁଦ୍ଧା ସମସ୍ତ ନାଗରିକଙ୍କୁ ଖାଲି କରିବା ପରେ ଆମେରିକୀୟ ସେନା ମଧ୍ୟ ବିମାନବନ୍ଦର ଅଂଚଳ ଖାଲି କରିବ। ପ୍ରାୟ ୫ ହଜାର ଆମେରିକୀୟ ସୈନିକ ଏବେ କାବୁଲରେ ଥିବା ବେଳେ ଆଜି ପ୍ରାୟ ୧ ହଜାର ସୈନିକ ଆମେରିକା ଫେରିଛନ୍ତି।

ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରମାନେ ଦୁଇ ସପ୍ତାହ ମଧ୍ୟରେ ୧ ଲକ୍ଷ ୧୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଇଛନ୍ତି। ତେବେ ଭାରତ ସମେତ ଅନେକ ରାଷ୍ଟ୍ରର ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବାରୁ ଏ ବାବଦରେ ତାଲିବାନ କୋହଳ ନୀତି ଗ୍ରହଣ କରିବ ବୋଲି ଆଜି ଘୋଷଣା କରିଛି। ତାଲିବାନ ଆଇଏସ୍‌-କେ ଆତଙ୍କବାଦୀଙ୍କ ଦ୍ବାରା ବିମାନବନ୍ଦରରେ ଆକ୍ରମଣକୁ ତାଲିବାନ ନିନ୍ଦା କରିଥିଲେ ମଧ୍ୟ ଏବେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସମର୍ଥନ କରିନାହିଁ। ନଙ୍ଗରହାର ପ୍ରଦେଶରେ ଆମେରିକାର ଡ୍ରୋନ୍‌ ଆକ୍ରମଣକୁ ତାଲିବାନ କଡ଼ା ସମାଲୋଚନା କରିଛି ଏବଂ ‘ଆମ ଅଂଚଳରେ ଏଭଳି ଆକ୍ରମଣ ପୂର୍ବରୁ କାହିଁକି ଅନୁମୋଦନ ନିଆଗଲା ନାହିଁ’ ବୋଲି ଆମେରିକାକୁ ପ୍ରଶ୍ନ କରିଛି। ବିମାନବନ୍ଦର ଆକ୍ରମଣ ମାମଲାରେ ସଂପୃକ୍ତ କେତେକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ଏବଂ ଆମେରିକା ଅଗଷ୍ଟ ୩୧ ପରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଆଫଗାନ୍‌ ମାଟିରେ କରିପାରିବ ନାହିଁ ବୋଲି ଆଜି ତାଲିବାନ ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର