ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଦେଶର ସମସ୍ତ ବିମାନବନ୍ଦରରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ବିମାନବନ୍ଦରରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ। ତେଣୁ ସୁରକ୍ଷା ବ୍ୟବସ୍ଥା ସହିତ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ା କରିବା ପାଇଁ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ) ପକ୍ଷରୁ ଦେଶର ସମସ୍ତ ବିମାନବନ୍ଦର ସହିତ ସମସ୍ତ ରାଜ୍ୟର ପୁଲିସ ମହାନିର୍ଦେଶକ ମାନଙ୍କୁୁ ସତର୍କ ସୂଚନା ଜାରି କରାଯାଇଛି।

ସୂଚନାଯୋଗ୍ୟ ଯେ ଦେଶର ପ୍ରାୟ ସମସ୍ତ ଅଞ୍ଚଳ ନୂଆବର୍ଷ ୨୦୧୮ ପାଳନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ଲୋକେ ଉତ୍ସବମୁଖର ଥିବା ବେଳେ ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦ ସଙ୍ଗଠନଗୁଡ଼ିକ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିବା ପରିପ୍ରେକ୍ଷୀରେ ଏହି ସତର୍କ ସୂଚନା ଜାରି କରାଯାଇଛି।


ବର୍ଷକ ମଧ୍ୟରେ ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ସଙ୍ଗଠନ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ହମଲା କରି ସେମାନଙ୍କ ମାନସିକତା ସ୍ପଷ୍ଟ କରି ସାରିଛନ୍ତି। ସେହିପରି ଇସ୍‌ଲାମିକ ଷ୍ଟେଟ୍‌ସ ଦ୍ୱାରା ବ୍ରେନ୍‌ ଓ୍ଵାସ ହୋଇଥିବା କେତେକ ବ୍ୟକ୍ତି ବିଶେଷ ମଧ୍ୟ ବିଭିନ୍ନ ଦେଶରେ ନୀରିହ ଜନସାଧାରଣ ଓ ପୁଲିସ କର୍ମୀଙ୍କୁ ଟାର୍ଗେଟ କରି ଫିଦାୟିନ୍‌ ହାମଲା ଚଳାଇଛନ୍ତି। ତେଣୁ ଯେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ନୂଆବର୍ଷ ପାଳନ ଅବସରରେ ଦାୟିିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ଅତ୍ୟନ୍ତ ସତର୍କ ରହିବା ପାଇଁ ବିସିଏଏସ ମୁଖ୍ୟ ରାଜେଶ କୁମାର ସମସ୍ତ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ହାଇ ଆଲର୍ଟ ଜାରି କରିଛନ୍ତି।

ଏଥିପାଇଁ ବିସିଏଏସ ପକ୍ଷରୁ କେତେକ ଗାଇଡ୍‌ଲାଇନ ପାଳନ ପାଇଁ ଜୋର ଦିଆଯାଇଛି। ବିମାନବନ୍ଦର ଟର୍ମିନାଲ ଭିତରକୁ ପ୍ରବେଶ ସହିତ ଅନ୍ୟାନ ଆଭିଏସନ୍‌ ଫାସିଲିଟିଗୁଡ଼ିକ ମଧ୍ୟକୁ ପ୍ରବେଶକୁ କଡ଼ାକଡ଼ି ଯାଞ୍ଚ କରିବା, କାର ପାର୍କିଂରେ କେହି କାର .ବୋମା ପ୍ଲାଣ୍ଟ କରିବା ଆଶଙ୍କା ଏଡାଇବା ପାଇଁ ବିମାନ ବନ୍ଦର କାର ପାର୍କିଂରେ ଯାଞ୍ଚକୁ କଡ଼ାକଡ଼ି କରିବା, ବିମାନବନ୍ଦରର ମୁଖ୍ୟ ଫାଟକରେ ଯାତ୍ରୀ, କର୍ମଚାରୀମାନଙ୍କ ଯାଞ୍ଚ କରିବା, ଏପରିକି ବୋମା ନିଷ୍କ୍ରୟକାରୀ ଦଳ, ଡଗ୍‌ ସ୍କ୍ଵାଡ ଗୁଡ଼ିକୁ ମଧ୍ୟ ଏହି ଯାଞ୍ଚ ପ୍ରକିୟାରୁ ବାଦ ନ ଦେବା ପାଇଁ କୁହାଯାଇଛି।

ବିମାନବନ୍ଦରରେ ଇଲେକ୍ଟ୍ରୋନିକ୍ସ ସର୍ଭେଲାନ୍ସ ବ୍ୟବସ୍ଥାକୁ ବୃଦ୍ଧି କରିବା, କାର୍ଗୋ, କ୍ୟାଟରିଂ ,ଡାକ ସେବା ଓ ଅନ୍ୟାନ୍ୟ ବ୍ୟାଗ୍‌ପତ୍ର ଯାଞ୍ଚ କଡ଼ାକରି କରବା ପାଇଁ ବିସିଏଏସି ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ସେହିପରି ସିସିଟିଭି ସର୍ଭେଲାନ୍ସ ସିଷ୍ଟମ ଦ୍ୱାରା ବିମାନବନ୍ଦର ଟର୍ମିନାଲ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ଏତଦ୍‌ବ୍ୟତୀତ କ୍ୟୁଆରଟିଙ୍କୁ ସତର୍କ ରଖିବା ସହିତ ବିମାନବନ୍ଦରର ଗେଟ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରିବାକୁ ବିସିଏଏସ ପକ୍ଷରୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର