ଇରାକ ଓ ସିରିଆରେ ତୁର୍କୀର ଏୟାରଷ୍ଟ୍ରାଇକ୍, ୨୫୪ ମୃତ

ଅଙ୍କାରା : ଇରାକ ଓ ସିରିଆରେ ଥିବା କୁର୍ଦିସ୍ ଠିକଣାଗୁଡ଼ିକ ଉପରେ ତୁର୍କୀ ପକ୍ଷରୁ ଏୟାରଷ୍ଟ୍ରାଇକ୍ କରାଯାଇଛି । ତୁର୍କୀର ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଅକର୍ କହିଛନ୍ତି ଯେ, ଇରାକ ଓ ସିରିଆରେ ଥିବା ୪୦୦ରୁ ଅଧିକ ଟାର୍ଗେଟ୍ ଉପରେ ଏହି ଆକ୍ରମଣ କରାଯାଇଛି ।

ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ୪୭୧ କୁର୍ଦିସ ଠିକଣା ଉପରେ ଆକ୍ରମଣ କରାଯାଇଛି । ଏସବୁ ଆକ୍ରମଣରେ ମୋଟ ୨୫୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।

ଗତ ରବିବାରଠାରୁ ତୁର୍କୀ ପକ୍ଷରୁ ଏହି ଆକ୍ରମଣ ଆରମ୍ଭ କରାଯାଇଛି । ଏହି ସାମରିକ କାର୍ଯ୍ୟାନୁଷ୍ଠାନ ନାଁ ରଖାଯାଇଛି ‘ଅପରେସନ କ୍ଲ ସୋର୍ଡ’ ।

ଚଳିତ ମାସ ୧୩ ତାରିଖରେ ତୁର୍କୀର ଇସ୍ତାନବୁଲରେ ହୋଇଥିବା ବୋମା ବିସ୍ଫୋରଣ ପରେ ତୁର୍କୀ ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ଇସ୍ତାନବୁଲର ଏକ ବ୍ୟସ୍ତବହୁଳ ବଜାରରେ ହୋଇଥିବା ବୋମା ବିସ୍ଫୋରଣରେ ୬ ଲୋକ ମୃତ୍ୟୁବରଣ କରିଥିଲେ ଓ ୮୧ ଜଣ ଆହତ ହୋଇଥିଲେ । ଏହି ଆକ୍ରମଣ ପାଇଁ ତୁର୍କୀ କୁର୍ଦିସ ଓ୍ବାର୍କର୍ସ ପାର୍ଟିକୁ ଦାୟୀ କରୁଛି । ଏହି ସଂଗଠନକୁ ୟୁରୋପୀୟ ସଂଘ ନିଷିଦ୍ଧ କରିଛି ।

ମଙ୍ଗଳବାରଦିନ ତୁର୍କୀ ରାଷ୍ଟ୍ରପତି ରିକାପ ତାୟିପ ଏରଡୋଗାନ ଧମକ ଦେଇଥିଲେ ଯେ ସିରିଆ ଓ ଇରାକରେ ଥିବା କୁର୍ଦିସ ଛାଉଣିଗୁଡ଼ିକୁ ନଷ୍ଟ କରିବାକୁ ଆବଶ୍ୟକ ପଡ଼ିଲେ ନିଜର ଟ୍ୟାଙ୍କ ଓ ପଦାତିକ ସୈନ୍ୟ ଛାଡ଼ିବେ ।

ସମ୍ବନ୍ଧିତ ଖବର