କରୋନା ନେଗେଟିଭ ହେବା ପରେ ହସପିଟାଲରୁ ଛାଡ଼ ପାଇଲେ ଐଶ୍ୱର୍ଯ୍ୟା, ଆରାଧ୍ୟା, ଆଉ କିଛିଦିନ ହସପିଟାଲରେ ରହିବେ ଅମିତାଭ, ଅଭିଷେକ

ମୁମ୍ବାଇ : ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଆଜି ତାଙ୍କ ନମୁନା ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ମୁମ୍ବାଇର ପ୍ରସିଦ୍ଧ ନାନାବତୀ ହସପିଟାଲରୁ ଛାଡ଼ି ଦିଆଯାଇଛି ।
ତେବେ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ଏବେ ବି ନାନାବତୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିଲେ ମଧ୍ୟ ସେମାନଙ୍କୁ ଆଉ କିଛି ଦିନ ହସପିଟାଲରେ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଅଭିଷେକ ବଚ୍ଚନ ଟ୍ଵିଟ କରି ସୂଚନା ଦେଇଛନ୍ତି ।
ଟ୍ଵିଟରରେ ଅଭିଷେକ ଲେଖିଛନ୍ତି ଯେ ସମସ୍ତଙ୍କ ଶୁଭେଚ୍ଛା ଓ ପ୍ରାର୍ଥନା ଯୋଗୁଁ ଐଶ୍ୱର୍ଯ୍ୟା ଓ ଆରାଧ୍ୟା କରୋନାଙ୍କ ପରୀକ୍ଷା ନେଗେଟିଭ ବାହାରିଛି । ଏହା ପରେ ସେମାନଙ୍କୁ ହସପିଟାଲରୁ ଛାଡ଼ି ଦିଆଯାଇଛି ଓ ସେମାନେ ଏବେ ଘରେ ରହିବେ । ତେବେ ସେ ଓ ତାଙ୍କ ବାପା ଆଉ କିଛି ଦିନ ହସପିଟାଲରେ ରହିବେ ବୋଲି ସେ ଲେଖିଛନ୍ତି ।
କରୋନା ପଜିଟିଭ ହେବା ପରେ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ଗତ ଜୁଲାଇ ୧୧ ତାରିଖରେ ନାନାବତୀ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଏହାର କିଛିଦିନ ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା ମଧ୍ୟ ହସପିଟାଲରେ ଭର୍ତ୍ତି ହୋଇଥିଲେ । କରୋନା ପଜିଟିଭ ହେବା ପରେ ପ୍ରଥମେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଥିଲେ ମଧ୍ୟ ପରେ ସେମାନଙ୍କୁ ହସପିଟାଲ ନିଆଯାଇଥିଲା ।

ସମ୍ବନ୍ଧିତ ଖବର