ଆଜମ ଖାନ୍‌ଙ୍କ ପୁଅ ଅବଦୁଲ୍ଲାଙ୍କ ନିର୍ବା‌ଚନ ରଦ୍ଦ

ଆହ୍ଲାବାଦ୍‌: ଉତ୍ତରପ୍ରଦେଶର ରାମପୁର ସାଂସଦ ଆଜମ ଖାନ୍‌ଙ୍କୁ ଆଜି ଆହ୍ଲାବାଦ୍‌ ହାଇ‌କୋର୍ଟରେ ଶକ୍ତ ଝଟ୍‌କା ଲାଗିଛି। ଆଜମ ଖାନ୍‌ଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ୍‌ଙ୍କ ନିର୍ବାଚନ ରଦ୍ଦ କରିଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଅବଦୁଲ୍ଲା ୨୦୧୭ ବିଧାନସଭା ନିର୍ବାଚନ ସ‌ମୟରେ ତାଙ୍କ ବୟସ ନେଇ ମିଥ୍ୟା ତଥ୍ୟ ଦେଇଥିଲେ। ସେ ସମୟରେ ନିର୍ବାଚନ ଲଢ଼ିବାପାଇଁ ଅବଦୁଲ୍ଲା ଉପଯୁକ୍ତ ବୟସରେ ପହଞ୍ଚିନଥିଲେ। କିନ୍ତୁ ‌ସେ ଭୁଲ୍‌ ତଥ୍ୟ ଦେଇ ନିର୍ବାଚନ ଲଢ଼ିଥିଲେ ଏବଂ ସୁଅର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତିଥିଲେ। ନିର୍ବାଚନ କମିସନ୍‌ଙ୍କ ନିୟମ ଅନୁଯାୟୀ ନିର୍ବାଚନ ଲଢ଼ିବାପାଇଁ ଜଣେ ପ୍ରାର୍ଥୀଙ୍କ ବୟସ ଅତି କମ୍‌ରେ ୨୫ ବର୍ଷ ହୋଇଥିବା ଦରକାର। ୨୦୧୭ ନିର୍ବାଚନରେ ସମୟରେ ଅବଦୁଲ୍ଲାଙ୍କୁ ୨୫ ବର୍ଷ ହୋଇନଥିଲା। ଅବଦୁଲ୍ଲାଙ୍କ ଦ୍ବାରା ପରାଜିତ ପ୍ରାର୍ଥୀ ନୱାବ କାଜିମ ଅଲି ଖାନ୍‌ ଏନେଇ କୋର୍ଟରେ ଆବେଦନ କରିଥିଲେ। ଅବଦୁଲ୍ଲାଙ୍କ ପ୍ରକୃତ ଜନ୍ମ ତାରିଖ ଜାନୁଆରି ୧, ୧୯୯୩ରେ, କିନ୍ତୁ ପ୍ରାର୍ଥିପତ୍ରରେ ଅବଦୁଲ୍ଲାଙ୍କ ଜନ୍ମତାରିଖ ସେପ୍ଟେମ୍ବର ୩୦, ୧୯୯୦ ଦର୍ଶାଯାଇଥିଲା। ତାଙ୍କୁ ୨୫ ବର୍ଷ ହୋଇନଥିଲେ ମଧ୍ୟ ସେ ନିର୍ବାଚନ ଲଢ଼ିଥିଲେ।

ସମ୍ବନ୍ଧିତ ଖବର