ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବିଶ୍ବବ୍ୟାଙ୍କର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କଲେ ଅଜୟ ବଙ୍ଗା    

ଓ୍ବାସିଂଟନ : ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅଜୟ ବଙ୍ଗା ଶୁକ୍ରବାର ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବିଶ୍ୱ ବ୍ୟାଙ୍କର ୧୪ତମ ଅଧ୍ୟକ୍ଷ ହୋଇଛନ୍ତି। ତାଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ । ଏହା ସହିତ ସେ ପ୍ରଥମ ଅଣ-ଶ୍ବେତାଙ୍ଗ ବ୍ୟକ୍ତି ଭାବେ ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହୋଇଛନ୍ତି ।

ରାଷ୍ଟ୍ରପତି ଜୋ ବାଇଡେନ ଫେବୃଆରୀରେ ଘୋଷଣା କରିଥିଲେ ଯେ ଆମେରିକା ଅଜୟ ବଙ୍ଗାଙ୍କୁ ବିଶ୍ୱ ବ୍ୟାଙ୍କର ରାଷ୍ଟ୍ରପତି ଭାବରେ ମନୋନୀତ କରିବ । ୬୩ ବର୍ଷୀୟ ଅଜୟ ବଙ୍ଗାଙ୍କୁ ମେ ୩ ତାରିଖରେ ବିଶ୍ୱବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନେ ବିଶ୍ୱ ବ୍ୟାଙ୍କର ୧୪ତମ ସଭାପତି ଭାବେ ନିର୍ବାଚିତ କରିଥିଲେ। ଅଜୟ ବଙ୍ଗା ହେଉଛନ୍ତି ପ୍ରଥମ ଭାରତୀୟ-ଆମେରିକୀୟ ଯିଏ କି ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷତା କରିଛନ୍ତି। ଫେବ୍ରୁଆରିରେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ଡେଭିଡ୍ ମାଲପାସଙ୍କ ସ୍ଥାନରେ ସେ ନିଯୁକ୍ତି ପାଇଛନ୍ତି।

ଅଜୟ ବଙ୍ଗାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରୁଥିବାର ଏକ ଫଟୋ ପୋଷ୍ଟ କରି ବିଶ୍ୱବ୍ୟାଙ୍କ ଶୁକ୍ରବାର ଟୁଇଟ୍ କରି କହିଛି, ‘ବିଶ୍ୱ ବ୍ୟାଙ୍କ ଗ୍ରୁପର ନୂତନ ସଭାପତି ଭାବେ ଅଜୟ ବଙ୍ଗାଙ୍କୁ ସ୍ୱାଗତ କରିବାରେ ଆମ ସହ ଯୋଗ ଦିଅନ୍ତୁ। ଦାରିଦ୍ର୍ୟମୁକ୍ତ ବିଶ୍ୱ ଗଠନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।

ଅଜୟ ବଙ୍ଗା ଜଣେ ଭାରତୀୟ ସେନା ଅଧିକାରୀଙ୍କ ପୁତ୍ର ଓ ତାଙ୍କ ଜନ୍ମ ପୁଣେରେ ହୋଇଥିଲା । ସେ ଆଇଆଇଏମ ଅହମ୍ମଦାବାଦରୁ ମ୍ୟାନେଜମେଣ୍ଟ ଶିକ୍ଷା ଗ୍ରହଣ କରିଛନ୍ତି ।

ସମ୍ବନ୍ଧିତ ଖବର