ୱାସିଂଟନ : ଭାରତୀୟ-ଆମେରିକୀୟ ଅଜୟ ବାଙ୍ଗା ବିଶ୍ବବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହେବା ଏକ ପ୍ରକାର ନିଶ୍ଚିତ। କାରଣ ଏହି ପଦ ଲାଗି ମନୋନୟନ ଦାଖଲ ଅବଧି ଶେଷ ହୋଇଥିବା ବେଳେ ଅନ୍ୟ କୌଣସି ଦେଶ ତାଙ୍କ ପାଇଁ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଦେଇନାହାନ୍ତି। ତେଣୁ ସେ ନିର୍ଦ୍ବନ୍ଦ୍ବରେ ବିଶ୍ବବ୍ୟାଙ୍କ ମୁଖ୍ୟ ହେବାକୁ ଯାଉଛନ୍ତି। ବିଶ୍ବ ଅର୍ଥନୀତି ଏବେ ଜଟିଳ ସମୟ ଦେଇ ଗତି କରୁଥିବା ବେଳେ ବିଶ୍ବବ୍ୟାଙ୍କ ଭଳି ସଂସ୍ଥାକୁ ଚଳାଇବା ଲାଗି ବାଙ୍ଗା ଉପଯୁକ୍ତ ବ୍ୟକ୍ତି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ବାଙ୍ଗାଙ୍କୁ ଚୀନ୍ ସମର୍ଥନ କରିନପାରେ ବୋଲି ଚର୍ଚ୍ଚା ହେଉଥିଲା।
ମାଷ୍ଟରକାର୍ଡର ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ଶ୍ରୀ ବାଙ୍ଗା ଏବେ ଜେନେରାଲ୍ ଆଟ୍ଲାଣ୍ଟିକ୍ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୬ରେ ବାଙ୍ଗାଙ୍କୁ ପଦ୍ମଶ୍ରୀ ଦିଆଯାଇଥିଲା। ମେ’ ସୁଦ୍ଧା ବିଶ୍ବବ୍ୟାଙ୍କର ନୂଆ ମୁଖ୍ୟଙ୍କ ନାମ ଚୂଡ଼ାନ୍ତ ହୋଇଯିବ ବୋଲି ଆଶା କରାଯାଉଛି। ଏହି ପଦ ଲାଗି ବାଙ୍ଗାଙ୍କୁ ବାଇଡେନ୍ ମନୋନୀତ କରିଛନ୍ତି। ବର୍ତ୍ତମାନ ବିଶ୍ବବ୍ୟାଙ୍କ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଡେଭିଡ୍ ମାଲ୍ପାସ୍ଙ୍କ ସ୍ଥାନରେ ବାଙ୍ଗା କାମ କରିପାରନ୍ତି। ନିଜ କାର୍ଯ୍ୟକାଳ ଶେଷ ହେବାର ବର୍ଷକ ପୂର୍ବରୁ ଏହି ପଦରୁ ମାଲ୍ପାସ୍ ଜୁନ୍ରେ ଇସ୍ତଫା ଦେବେ। ଜଳବାୟୁ ପରିବର୍ତ୍ତନକୁ ନେଇ ମାଲ୍ପାସ ଦେଇଥିବା କିଛି ବ୍ୟକ୍ତିଗତ ମନ୍ତବ୍ୟକୁ କଡ଼ା ସମାଲୋଚନା କରାଯାଇଥିଲା। ସେବେଠାରୁ ତାଙ୍କ ଉପରେ ଚାପ ରହିଛି।