ରାଜସ୍ଥାନ ପ୍ରଭାରୀ ପଦରୁ ଇସ୍ତଫା ଦେଲେ ଅଜୟ ମାକେନ, ଖଡ଼‌ଗେଙ୍କ ପାଇଁ ପ୍ରଥମ ସାଂଗଠନିକ ଚ୍ୟାଲେଂଜ

ଗେହଲଟ ଗୋଷ୍ଠୀର ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବାପାଇଁ ଆଉ ୨ ସପ୍ତାହ ବାକି ଥିବାବେଳେ ଏହା ପୂର୍ବରୁ କଂଗ୍ରେସ ପାଇଁ ରାଜସ୍ଥାନରେ ଏକ ନୂଆ‌ ସମସ୍ୟା ସୃଷ୍ଟି ହୋଇଛି। କଂଗ୍ରେସ ନେତା ଅଜୟ ମାକେନ ଦଳର ରାଜସ୍ଥାନ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ୩ ବିଶ୍ବସ୍ତଙ୍କ ବିରୋଧରେ ଦଳ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରି ମାକେନ ଇସ୍ତଫା ଦେଇଛନ୍ତି। ମାକେନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଟଳ ରହିଥିବାରୁ ଏଭଳି ପରିସ୍ଥିତି ଗେହଲଟଙ୍କ ଅଡ଼ୁଆ ବଢ଼ାଇବ ବୋଲି କୁହାଯାଉଛି।

ସୂଚନାନୁଯାୟୀ, ମାକେନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ଏକ ଚିଠି ଲେଖି ପ୍ରଭାରୀ ପଦରୁ ଇସ୍ତଫା ଦେବାପାଇଁ କହିଥିଲେ। ଶୃଙ୍ଖଳାଗତ କମିଟିର କାରଣ ଦର୍ଶାଅ ନୋଟିସ ସତ୍ତ୍ବେ ରାଜସ୍ଥାନ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରିୱାଲ,ପାର୍ଟି ଚିଫ୍‌ ହ୍ବିପ୍‌ ମହେଶ ଯୋଶୀ ଏବଂ ରାଜସ୍ଥାନ ପର୍ଯ୍ୟଟନ ବିକାଶ ନିଗମ (ଆରଟିଡିସି) ଅଧ୍ୟକ୍ଷ ଧର୍ମେନ୍ଦ୍ର ରାଠୋରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ମାକେନ ଅସନ୍ତୋଶ ପ୍ରକାଶ କରିଛନ୍ତି। ଅଜୟ ମାକେନଙ୍କ ଇସ୍ତଫା ସହ ନୂଆ କରି ସଭାପତି ଦାୟିତ୍ବ ନେଇଥିବା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଇଁ ପ୍ରଥମ ସାଂଗଠନିକ ଚ୍ୟାଲେଂଜ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର