ନୂଆଦିଲ୍ଲୀ : ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏବଂ ତାଙ୍କ ପୁତୁରା ତଥା ଏନ୍‌ସିପି ବିଧାୟକ ଦଳ ନେତା ଅଜିତ ପାୱାରଙ୍କ ମଧ୍ୟରେ କେଉଁ କାରଣ ପାଇଁ ବିବାଦର ସୂତ୍ରପାତ ହୋଇଥିଲା ଏବେ ସେ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି। ଗତ ଶୁକ୍ରବାର ସନ୍ଧ୍ୟା ତଥା ନଭେମ୍ବର ୨୨ ତାରିଖରେ ଶିବସେନା, ଏନ୍‌ସିପି କଂଗ୍ରେସ ମଧ୍ୟରେ ବୈଠକ ହୋଇଥିଲା। ଏହିଦିନ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଘୋଷଣା କରିଥିଲେ। ତେବେ ଅଜିତ ପାୱାର ଏନ୍‌ସିପିର ବିଧାୟକ ଦଳ ନେତା ହୋଇଥିଲେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ହେବା ନେଇ ନିର୍ଦ୍ଦି‌ଷ୍ଟ ଭାବେ କୌଣସି ଘୋଷଣା ହୋଇନଥିଲା। ତେଣୁ ଅଜିତ ଅଧୈର୍ଯ୍ୟ ହୋଇ ଏମିତି କରିଥାଇପାରନ୍ତି ବୋଲି କୁହାଯାଉଛି। ତେବେ ଅଜିତ ଏବଂ ଶରଦଙ୍କ ମଧ୍ୟରେ ଥିବା ବିବାଦ ପଛରେ ୨୦୦୯ ମସିହାର ଏକ ଘଟଣା ରହିଥିବା କୁହାଯାଉଛି।

Advertisment

publive-image

୨୦୦୯ ଅକ୍ଟୋବରରେ କଂଗ୍ରେସର ଅଶୋକ ଚୌହାନ ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେଲେ। କଂଗ୍ରେସ ୮୨ ଆସନରେ ଜିତିଥିଲା ଏବଂ ଏନ୍‌ସିପି ୬୨ ଆସନରେ ଜିତିଥିଲା। ତେବେ ସେ ସମୟରେ ଶରଦ ପାୱାର ଅଜିତ ପାୱାରଙ୍କ ବଦଳରେ ଛଗନ ଭୁଜବଳଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ବାଛିଥିଲେ। ଅଜିତ ପାୱାର ୨୦୧୦ ନଭେମ୍ବରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହିପରି ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାରଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ଟିକଟ୍‌ ଦେବା ସଂକ୍ରାନ୍ତରେ ମଧ୍ୟ ଉଭୟଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ହୋଇଥିଲା। ଶରଦ ପାୱାର ପାର୍ଥଙ୍କୁ ଟିକେଟ୍‌ ଦେବାପାଇଁ ମନା କରିଥି‌ବା ବେଳେ ଅଜିତ ପାୱାର ଜିଦ୍‌ କରି ତାଙ୍କ ପୁଅ ପାଇଁ ମାଭଲ୍‌ ନିର୍ବାଚନ ମଣ୍ଡଳୀ ପାଇଁ ଟିକଟ୍‌ ଆଣିଥିଲେ। କିନ୍ତୁ ପାର୍ଥ ପରାଜିତ ହୋଇଥିଲେ। ଏହା ବ୍ୟତୀତ ଭବିଷ୍ୟତରେ ଏନ୍‌ସିପିର ନେତୃତ୍ବ ନେବାପାଇଁ ଶରଦ ପାୱାର ଅଜିତଙ୍କୁ ଅଧିକ ପ୍ରୋତ୍ସାହନ ଦେଉନଥିବାରୁ ଏହା ମଧ୍ୟ ଏକ ବଡ଼ କାରଣ ବୋଲି କୁହାଯାଉଛି।