ଅଜିତ-ଶରଦ ଟ୍ବିଟର୍‌ ଯୁଦ୍ଧ ! ବିଜେପି-ଏନ୍‌ସିପି ସରକାର ୫ ବର୍ଷ ଚାଲିବ: ଅଜିତ ପାୱାର

ଏନ୍‌ସିପି ଶିବସେନା ସହିତ ହିଁ ରହିବ: ଶରଦ ପାୱାର

ମୁମ୍ବାଇ, ୨: ମହାରାଷ୍ଟ୍ରରେ ରାଜନୈତିକ ଘଟଣାକ୍ରମ ବେଶ୍‌ ନାଟକୀୟ ମୋଡ଼ ନେଇଛି। ଆଜି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏବଂ ତାଙ୍କ ପୁତୁରା ଅଜିତ ପାୱାରଙ୍କ ମଧ୍ୟରେ ଟ୍ବିଟର୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନରେ ଅଜିତ ପାୱାର ହଠାତ୍‌ ଟ୍ବିଟରରେ ସକ୍ରିୟ ହୋଇଉଠିଥିଲେ ଏବଂ ରାଜ୍ୟରେ ବିଜେପି-ଏନ୍‌ସିପି ୫ ବର୍ଷ ପାଇଁ ସ୍ଥିର ସରକାର ପ୍ରଦାନ କରିବ ବୋଲି ଟ୍ବିଟ୍‌ କରିଥିଲେ। ଅଜିତ ସ୍ପଷ୍ଟ କରିଥିଲେ ଯେ ସେ ଏନ୍‌ସିପିରେ ଅଛନ୍ତି ଏବଂ ଆଗକୁ ମଧ୍ୟ ସେ ଏନ୍‌ସିପିରେ ରହିବେ। ଶରଦ ପାୱାର ହିଁ ମୋର ନେତା ବୋଲି ଅଜିତ ଟ୍ବିଟ୍‌ କରିଥିଲେ। ଅଜିତଙ୍କ ଏହି ଟ୍ବିଟ୍‌ ପରେ ଶିବସେନା ନେତାମାନେ ଛାନିଆ ହୋଇଯାଇଥ‌ିଲେ। ଏହାର କିଛି ସମୟ ପରେ ଶରଦ ପାୱାର ମଧ୍ୟ ଟ୍ବିଟର୍‌ ମାଧ୍ୟମରେ ଅଜିତଙ୍କୁ ଜବାବ ଦେଇଥିଲେ। ସେ କହିଥିଲେ ଯେ ବିଜେପି ସହିତ ଏନ୍‌ସିପି ମେଣ୍ଟ କରି ସରକାର ଗଠନ କରିବା ଆଦୌ ସମ୍ଭବ ନୁହେଁ। ଆମେ ଶିବସେନା ସହିତ ହିଁ ରହିବୁ। ଅଜିତଙ୍କ ବୟାନକୁ ଖଣ୍ଡନ କରି ସେ କହିଥିଲେ ଯେ ଅଜିତ ଯେଉଁ ବୟାନ ଦେଇଛନ୍ତି ତାହା ମିଥ୍ୟା ଏବଂ କେବଳ ବିଭ୍ରାନ୍ତି ସୃଷ୍ଟି ପାଇଁ ଉଦ୍ଦିଷ୍ଟ।

ଆଜି ଅଜିତ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାଙ୍କ ପ୍ରତି କୃତଜ୍ଞତା ଜଣାଇ ଟ୍ବିଟ୍‌ କରିଥିଲେ ଏବଂ ବିଜେପି-ଏନ୍‌ସିପି ସରକାର ରାଜ୍ୟବାସୀଙ୍କ ସ୍ବାର୍ଥରେ କାମ କରିବ ବୋଲି କହିଥିଲେ । ଏହାପରେ ସେ ଏନ୍‌ସିପି ଓ ଶରଦ ପାୱାରଙ୍କୁ ନେଇ ଟ୍ବିଟ୍‌ କରିଥିଲେ। ତେବେ ଶରଦ୍‌ ପାୱାର ସ୍ପଷ୍ଟ କରିଛନ୍ତି ଯେ ଶିବସେନା ଏବଂ କଂଗ୍ରେସ ସହ ମିଶି ସରକାର ଗଠନ ପାଇଁ ଏନ୍‌ସିପି ପ୍ରତିଶ୍ରୁତିବଦ୍ଧ ଏବଂ ଏହି ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହେବନାହିଁ। ଲୋକଙ୍କ ମଧ୍ୟରେ ଭୁଲ୍‌ ଧାରଣା ସୃଷ୍ଟି କରିବା ପାଇଁ ଅଜିତ ପ୍ରୟାସ କରୁଛନ୍ତି ବୋଲି ଶରଦ ପାୱାର କହିଛନ୍ତି।

ସମ୍ବନ୍ଧିତ ଖବର