କଶ୍ମୀରର ଗଳିକନ୍ଦିରେ ବୁଲିଲେ ଡୋଭାଲ

ଲୋକଙ୍କୁ ଆଶ୍ବସ୍ତ କଲେ: ସବୁକିଛି ବହୁତ ଭଲ ହେବ

ଶ୍ରୀନଗର : ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଅଛି ବୋଲି ଜମ୍ମୁ କଶ୍ମୀର ଡିଜିପି ଦିଲବାଗ୍‌ ସିଂହ ଏବଂ ଏନ୍‌ଏସଏ (ଜାତୀୟ ସୁରକ୍ଷା ପରାମର୍ଶ ଦାତା) ଅଜିତ ଡୋଭାଲ କହିଛନ୍ତି। ଆଜି ଡୋଭାଲ କଶ୍ମୀରର ଅନ୍ୟତମ ସର୍ବାଧିକ ସମ୍ବେଦନଶୀଳ ଅଂଚଳ ସୋପିଆନ ଗସ୍ତ କରି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ଡିଜିପି ଦିଲବାଗ୍‌ ସିଂହଙ୍କ ସହିତ ପରବର୍ତ୍ତୀ ରଣନୀତି ନେଇ ଆଲୋଚନା କରିଛନ୍ତି। ଡୋଭାଲ୍‌ ଆଜି ସୋପିଆନ୍‌ରେ ବିଭିନ୍ନ ସାହି ବସ୍ତିରେ ବୁଲି ଲୋକଙ୍କ ସହ କଥା ହୋଇଛନ୍ତି। ପରିସ୍ଥିତିରେ ଖୁବ୍‌ଶୀଘ୍ର ପରିବର୍ତ୍ତନ ଆସିବ ଏବଂ ସବୁକିଛି ବହୁତ ଭଲ ହେବ ବୋଲି ସେ ଲୋକଙ୍କୁ ଆଶ୍ବସ୍ତ କରିଛନ୍ତି। ଡୋଭାଲ ସୋପିଆନ ଅଂଚଳର ବାସିନ୍ଦାଙ୍କ ସହ ବିଭିନ୍ନ ଗଳିରେ ବୁଲୁଥିବା ଏବଂ ସେମାନଙ୍କ ସହ ଭୋଜନ କରିବା ଦୃଶ୍ୟ ପ୍ରସାରଣ ହେବାପରେ ଏହାକୁ ନେଇ ଲୋକେ ଆଶ୍ବସ୍ତ ହୋଇଛନ୍ତି ଏବଂ ଖୁବଶୀଘ୍ର ସବୁକିଛି ସ୍ବାଭାବିକ ହେବ ବୋଲି ଆଶା ପ୍ରକାଶ ପାଇଛି। ରାଜ୍ୟରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ଆଗକୁ କଟକଣା ହଟି‌ବା ପରେ ମଧ୍ୟ ସବୁକିଛି ସ୍ବାଭାବିକ ଭାବେ ଚାଲିବ ବୋଲି କୁହାଯାଇଛି। କଶ୍ମୀରରେ ଏବେ ଧାରା ୧୪୪ ବଳବତ୍ତର ରହିଛି ଏବଂ ସୁରକ୍ଷା ବନ୍ଦୋବସ୍ତ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । କଶ୍ମୀରବାସୀଙ୍କ ଭଲ ଭବିଷ୍ୟତ ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଏହି ଅଂଚଳର ରୂପରେଖ ବଦଳାଇ ଦେବ ଏବଂ ବିକାଶର ମୁଖ୍ୟସ୍ରୋତରେ କଶ୍ମୀର ଯୋଡ଼ି ହେଇଯିବ ବୋଲି ଡୋଭାଲ କହିଛନ୍ତି।

ସମ୍ବନ୍ଧିତ ଖବର