ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସଏ) ଅଜିତ ଡୋଭାଲଙ୍କ ହାତରେ ହିଂସାଗ୍ରସ୍ତ ଉତ୍ତରପୂର୍ବ ଦିଲ୍ଲୀର ଦାୟିତ୍ବ ନ୍ୟସ୍ତ କରାଯାଇଛି। ଏହି ହିଂସା ପ୍ରବଣ ଅଞ୍ଚଳରେ ସ୍ଥିତି ସ୍ବାଭାବିକ କରିବା ଦାୟିତ୍ବ ଡୋଭାଲ୍ଙ୍କୁ ଦିଆଯାଇଥିବା ବେଳେ ସେ ଆଜି ହିଂସାଗ୍ରସ୍ତ ବିଭିନ୍ନ ସାହି ଗଳି ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଉଭୟ ପକ୍ଷ ଶାନ୍ତି, ସଦ୍ଭାବନା ଓ ଭାଇଚାରା ରଖି ଆଗକୁ ବଢ଼ିବାକୁ ହେବ ଏବଂ ଖୁବ୍ଶୀଘ୍ର ଉତ୍ତର ପୂର୍ବ ଦିଲ୍ଲୀରେ ଶାନ୍ତି ଫେରିବ ବୋଲି ଡୋଭାଲ କହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଉତ୍ତର ପୂର୍ବ ଦିଲ୍ଲୀ ଅଞ୍ଚଳକୁ ଡୋଭାଲ୍ଙ୍କର ଏହା ଦ୍ବିତୀୟ ଗସ୍ତ ଥିଲା।
ଡୋଭାଲ୍ ମଙ୍ଗଳବାର ରାତିରେ ମଧ୍ୟ ହିଂସା ପ୍ରବଣ ଉତ୍ତର-ପୂର୍ବ ଦିଲ୍ଲୀକୁ ଗସ୍ତ କରି ପରିସ୍ଥିତି ନେଇ ସମୀକ୍ଷା କରିଥିଲେ । ଡୋଭାଲ୍ ଆଜି ଦିଲ୍ଲୀର ମୌଜପୁର, ଜାଫରାବାଦ୍ ଅଞ୍ଚଳର ବିଭିନ୍ନ ସାହି, ଗଳି ବୁଲି ପୀଡ଼ିତଙ୍କ ଦୁଃଖ ଦେଖିଛନ୍ତି ଏବଂ ଶାନ୍ତି କାଏମ ରଖିବାକୁ ନିବେଦନ କରିଛନ୍ତି। ଏ ବାବଦରେ ଆଜି ଅନେକ ଜରୁରୀ ପଦକ୍ଷେପ ମଧ୍ୟ ସେ ଗ୍ରହଣ କରିଛନ୍ତି। ଡୋଭାଲ୍ କହିଛନ୍ତି ଯେ ହିଂସା ପ୍ରବଣ ଅଞ୍ଚଳରେ ସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ପୁଲିସ ଏହାର କାମ କରୁଛି ଏବଂ ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ପୂର୍ଣ୍ଣ ଭରସା ଥିବା ସେ କହିଛନ୍ତି। ଡୋଭାଲ୍ ଲୋକମାନଙ୍କୁ ଶାନ୍ତି ଏବଂ ସଦ୍ଭାବନା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ଏବଂ ସବୁ ଭାରତୀୟ ସୌହାର୍ଦ୍ଦ୍ୟ ଭିତରେ ରହିଲେ ହିଁ ଦେଶର ପ୍ରଗତି ସମ୍ଭବ ବୋଲି କହିଛନ୍ତି।
ଜାଫରବାଦ୍ ଅଂଚଳକୁ ଡୋଭାଲଙ୍କ ଗସ୍ତବେଳେ ସେଠାରେ ମହିଳାମାନେ କିଭଳି ଗୃହବନ୍ଦୀ ଭଳି ରହିବାକୁ ବାଧ୍ୟ ହେଉଛନ୍ତି ସେ ସଂପର୍କରେ ଡୋଭାଲଙ୍କୁ ଅବଗତ କରାଇଥିଲେ। ବ୍ୟବସାୟୀମାନେ ମଧ୍ୟ ସେମାନଙ୍କର ସମସ୍ୟା ଡୋଭାଲ୍ଙ୍କୁ କହିଥିଲେ। ଆଜି ସୀଲମପୁରରେ ଡିସିପି ଅଫିସ୍ରେ ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ଡୋଭାଲ ବୈଠକ କରିଛନ୍ତି। ଏସିପି ମନଦୀପ ସିଂହ ରନଧାୱା, ନବ ନିଯୁକ୍ତ ସ୍ବତନ୍ତ୍ର ସିପି ଏସଏନ୍ ଶ୍ରୀବାସ୍ତବ, ସ୍ବତନ୍ତ୍ର ସିପି ସତୀଶା ଗୋଲ୍ଚା ଏବଂ ଉତ୍ତରପୂର୍ବ ଦିଲ୍ଲୀର ଡିସିପି ବେଦ ପ୍ରକାଶ ଆର୍ଯ୍ୟ ଆଜି ଡୋଭାଲ୍ଙ୍କ ସହ ବୈଠକରେ ଉପସ୍ଥିତ ଥିଲେ। ବୈଠକ ପରେ ଡୋଭାଲ୍ ମୌଜପୁର ଏବଂ ଜାଫରାବାଦ୍ ଗସ୍ତ କରିଥିଲେ।