ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ ଆଦିବାସୀ ନୁହନ୍ତି

ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ ଆଦିବାସୀ ନୁହନ୍ତି। ଛତିଶଗଡ଼ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସରକାରଙ୍କ ପକ୍ଷରୁ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଏହି ରିପୋର୍ଟ ପ୍ରଦାନ କରିଛି। ଶ୍ରୀ ଯୋଗୀ ତଫସିଲଭୁକ୍ତ ଜନଜାତିର ସଦସ୍ୟ ହେବା ପାଇଁ ଯୋଗ୍ୟ ନୁହନ୍ତି ଏବଂ ତାଙ୍କଠାରୁ ଏହି ଜାତିଗତ ପ୍ରମାଣପତ୍ର ପ୍ରତ୍ୟାହାର କରି ନିଆଯିବା ଉଚିତ ବୋଲି ସଚିବ ଡି ଡି ସିଂହଙ୍କ ନେତୃତ୍ବରେ ଗଠିତ କମିଟି କହିଛି। ଦୁଇ ଦଶନ୍ଧି ଧରି ନିଜକୁ ଆଦିବାସୀ ବୋଲି ପ୍ରମାଣ କରି ଆଦିବାସୀ ଆସନରୁ ଲଢ଼ି ଆସୁଥିବା ଶ୍ରୀ ଯୋଗୀଙ୍କ ପାଇଁ ଏହି ରିପୋର୍ଟ ଏକ ବଡ଼ ଝଟ୍‌କା ସଦୃଶ ହୋଇଛି। ଛତିଶଗଡ଼ ଏସସି, ଏସଟି ଏବଂ ଅନ୍ୟ ପଛୁଆ ବର୍ଗ ନିୟମ ୨୦୧୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଳାସପୁର ଜିଲାପାଳଙ୍କୁ କମିଟି ନିର୍ଦ୍ଦେଶ ଦେଇଛି। ଏଥିସହିତ ତାଙ୍କଠାରୁ ସମସ୍ତ ଆଦିବାସୀ ପ୍ରମାଣପତ୍ର ପ୍ରତ୍ରାହାର ଲାଗି ଜଣେ ଡିଏସପି ରୢାଙ୍କର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସ ଛାଡ଼ି ଛତିଶଗଡ଼ ଜନତା କଂଗ୍ରେସ ଗଠନ କରିଥିବା ଶ୍ରୀ ଯୋଗୀ ଏବେ ମାରୱାହି ସଂରକ୍ଷିତ ଆସନରୁ ବିଧାୟକ ଅଛନ୍ତି। ଆଦିବାସୀଙ୍କ ପାଇଁ ସଂରକ୍ଷିତ ଏହି ଆସନ ତାଙ୍କଠାରୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର