ମୁମ୍ବାଇ: ଏନ୍‌ସିପି ନେତା ଅଜିତ୍‌ ପାୱାର ବିଜେପି ସହ ମିଶି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦୁଇ ଦିନ ନ ପୂରୁଣୁ ମହାରାଷ୍ଟ୍ର ସରକାରଙ୍କ ଦୁର୍ନୀତି ନିରୋଧୀ ବ୍ୟୁରୋ (ଏସିବି) ତାଙ୍କ ବିରୋଧରେ ଥିବା ୩ ହଜାର ଜଳସେଚନ ଦୁର୍ନୀତି ମାମଲା ମଧ୍ୟରୁ ୯ଟି ମାମଲାକୁ ଆଜି ବନ୍ଦ କରିଦେଇଛି। ତାଙ୍କ ବିରୋଧରେ ଏହି ୯ଟି ଯାକ ମାମଲାରେ ଦୁର୍ନୀତିର କୌଣସି ପ୍ରମାଣ ମିଳିନାହିଁ। ଫଳରେ ଏସିବି ଅଜିତ୍‌ଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛି। ତେବେ ଏସିବି ପକ୍ଷରୁ ଏହି ସମ୍ବାଦକୁ ଖଣ୍ଡନ କରାଯାଇଛି। ଏସିବି ଡିଜି କହିଛନ୍ତି, ବନ୍ଦ ହୋଇଥିବା ଏହି ଦୁର୍ନୀତି ସହିତ ଅଜିତଙ୍କର କୌଣସି ସମ୍ପର୍କ ନାହିଁ। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ଏନ୍‌ସିପି-କଂଗ୍ରେସ ସରକାର ଅମଳରେ ଜଳସେଚନ ବିଭାଗରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା। ପାଖାପାଖି ୩,୦୦୦ ଜଳସେଚନ ପ୍ରକଳ୍ପରେ ହୋଇଥିବା‌ ଦୁର୍ନୀତିର ତଦନ୍ତ ଚାଲିଥିଲା। ଏହି ଦୁର୍ନୀତିରେ ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ଅଜିତ ପାୱାରଙ୍କ ସମ୍ପୃକ୍ତି ଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଜଳସେଚନ ଦୁର୍ନୀତି ମାମଲାକୁ ମହାରାଷ୍ଟ୍ର ଆଣ୍ଟି କରପ୍‌ସନ ବ୍ୟୁରୋ ତଦନ୍ତ କରୁଥିଲା। ଯେକୌଣସି ସମୟରେ ଅଜିତ୍‌ ପାୱାରଙ୍କୁ ଗିରଫ କରାଯାଇପାରେ ବୋଲି ୨୦୧୮ରେ କେନ୍ଦ୍ର ମନ୍ତ୍ରୀ ତଥା ତତ୍‌କାଳୀନ ମହାରାଷ୍ଟ୍ର ବିଜେପି ସଭାପତି ରାଓସାହେବ ଡାନ୍‌ଭେ କହିଥିଲେ। ମାତ୍ର, ଏବେ ପରିସ୍ଥିତି ବଦଳି ଯାଇଛି।

Advertisment