ମୁମ୍ବାଇ: ଅଜିତ ପାୱାରଙ୍କ ଆକସ୍ମିକ ବିୟୋଗ ପରେ ଦଳର ନେତୃତ୍ବକୁ ନେଇ ଶୂନ୍ୟ ସ୍ଥାନ ସୃ‌ଷ୍ଟି ହୋଇଥିବା ଏହାର ଭବିଷ୍ୟତକୁ ନେଇ ମଧ୍ୟ ଅନିଶ୍ଚିତତା ପ୍ରକାଶ ପାଇଛି। ଅଜିତ ପାୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦବି ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର କ୍ୟାବିନେଟ୍‌ ପଦବି ତାଙ୍କ ପାଖରେ ରଖିଥିଲେ। କିନ୍ତୁ ତାଙ୍କ ଆବର୍ତ୍ତମାନରେ ଏସବୁ ଖାଲି ପଡ଼ିଥିବାବେଳେ କ୍ୟାବିନେଟ୍‌ରେ ଅଦଳବଦଳ ହେବା ଏକ ପ୍ରକାର ସୁନିଶ୍ଚିତ। ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତାମାନେ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ଭେଟିଥିଲେ। ଏନସିପିର ବରି‌‌ଷ୍ଠ ନେତା ପ୍ରଫୁଲ୍ଲ ପଟେଲ, ସୁନିଲ ତଟକରେ ଓ ଛଗନ ଭୁଜବଲ ଫଡନାଭିସ୍‌ଙ୍କୁ ତାଙ୍କ ବାସଭବନରେ ଭେଟି ଦଳର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ପଦବି ବଜାୟ ରଖିବା ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନାବେଳେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ବିଜେପି ରାଜ୍ୟ ସଭାପତି ରବୀନ୍ଦ୍ର ଚୌହାନ ମଧ୍ୟ ଉପସ୍ଥିତ ଥିଲେ।

Advertisment

ସୁନେତ୍ରା ପାୱାରଙ୍କୁ ବିଧାୟକ ଦଳ ନେତା ଘୋଷଣା କରାଯାଇପାରେ

ଅଜିତ ପାୱାରଙ୍କ ପାଖରେ ଅର୍ଥ, ଅବକାରୀ ଏବଂ କ୍ରୀଡା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଥିଲା। ଏହି ସମସ୍ତ ବିଭାଗ ଦଳର କୋଟା ମଧ୍ୟରେ ରଖିବାକୁ ଦାବି କରି ଏନସିପି ଏକ ଚିଠି ଦାଖଲ କରିବାକୁ ଯାଉଛି। ଅଜିତ ପାୱାରଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ଦଳ ଶରଦ ପାୱାରଙ୍କ ନେତୃତ୍ବାଧୀନ ଏନ୍‌ସିପି ଏସ୍‌ପି ସହିତ ମିଶି ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏନ୍‌ସିପି ଶୁକ୍ରବାର ଏହାର ବିଧାୟକ ଦଳ ବୈଠକ ଡାକିଛି। ବୈଠକରେ ଅଜିତଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ପାୱାରଙ୍କୁ ବିଧାୟକ ଦଳ ନେତା ଘୋଷଣା କରାଯାଇପାରେ। ଏନ୍‌ସିପି ବର୍ତ୍ତମାନ ବିଜେପି ଓ ଶିବସେନା ସହିତ ଶାସକ ମହାୟୁତି ମେଣ୍ଟରେ ରହିଛି। ଶନିବାର ବୈଠକରେ ଦଳର ନୂଆ ଅଧ୍ୟକ୍ଷ କିଏ ହେବ ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ। ଅନ୍ୟପକ୍ଷରେ ଏନ୍‌ସିପି ଶରଦ ପାୱାରଙ୍କ ଏନ୍‌ସିପି ଏସ୍‌ପି ସହିତ ମିଶିଯିବା ନେଇ ମଧ୍ୟ କଳ୍ପନାଜଳ୍ପନା ଜୋର ଧରିଛି। ଶରଦ ପାୱାରଙ୍କ ଶିବିରର ନେତାମାନେ ଦାବି କରିଛନ୍ତି ଯେ, ଏନ୍‌ସିପି ମିଶ୍ରଣ ନେଇ ଆଲୋଚନା ପୂର୍ବରୁ ଚାଲିଥିବାବେଳେ ଏଥିରେ ଅନେକ ଅଗ୍ରଗତି ହୋଇଛି।

ଅନ୍ୟପକ୍ଷରେ ଏନ୍‌ସିପିର ବରିଷ୍ଠ ନେତା ଅନିଲ ଦେଶମୁଖ କହିଛନ୍ତି, ଏନ୍‌ସିପିର ଦୁଇ ଦଳ ଯଥାଶୀଘ୍ର ମିଶି ଯାଆନ୍ତୁ ବୋଲି ଅଜିତ୍‌ ପାୱାର ଚାହୁଥିଲେ ଓ ସେ ଏ ଦିଗରେ କାମ କରୁଥିଲେ। ଅଜିତ ପାୱାରଙ୍କ ପରେ ଦଳର ନେତୃତ୍ବ କିଏ ନେବ ତାହା ପରିବାର ମିଳିତ ଭାବେ ନିଷ୍ପତ୍ତି ନେବ। ଏନସିପିର ଦୁଇ ଗୋଷ୍ଠୀକୁ ପୁଣି ଏକାଠି କରିବାକୁ ଅଜିତ ପାୱାର ଜୟନ୍ତ ପାଟିଲ, ସୁପ୍ରିୟା ସୁଲେ ଏବଂ ଅମୋଲ କୋଲହେଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ସହିତ କିଛି ସପ୍ତାହ ଧରି ୧୪ଟି ବୈଠକ କରିଥିଲେ ବୋଲି ଦଳୀୟ ସୂତ୍ରରୁ ଜାଣିବାକୁ ମିଳିଛି। 

ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ

ଏହି ସମୟରେ, ବିଜେପି ରାଜ୍ୟସଭା ସାଂସଦ ଧନଞ୍ଜୟ ମହାଦିକଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଦୁଇଟି ଏନସିପି ଏବେ ଏକାଠି ହେବା ଉଚିତ। ଉଭୟଙ୍କ ପାଖରେ ପ୍ରବଳ ଶକ୍ତି ଅଛି, ୪୦ ବିଧାୟକ ଏବଂ ୧୦ ସାଂସଦ ଅଛନ୍ତି, ତେଣୁ ସେମାନେ ଏକ ହେବା ଉଚିତ। ସେ ଏହା ମଧ୍ୟ କହିଛନ୍ତି କି ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଏ, ତେବେ ସେ ପ୍ରଭାବଶାଳୀ ଭାବରେ କାମ କରିପାରିବେ। ତାଙ୍କ ପାଖରେ ଏବେ ରାଜ୍ୟସଭା ଅଭିଜ୍ଞତା ମଧ୍ୟ ଅଛି।

ଏଠାରେ କହିରଖୁଛୁ କି, ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ୨୦୨୪ ଲୋକସଭା ନିର୍ବାଚନରେ ବାରାମତୀ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଠାରେ ତାଙ୍କର ମୁକାବିଲା ଅଜିତ ପାୱାରଙ୍କ ସମ୍ପର୍କୀୟ ଭଉଣୀ ସୁପ୍ରିୟା ସୁଲେଙ୍କ ସହ ହୋଇଥିଲା। ସୁଲେ ତାଙ୍କୁ ପରାସ୍ତ କରିଥିଲେ। ଏହା ସୁନେତ୍ରା ପାୱାରଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଇଥିଲା। ତା''ପରେ ଅଜିତ ପାୱାର ତାଙ୍କ ପତ୍ନୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେ ସଂସଦର ଉଚ୍ଚ ସଦନର ସଦସ୍ୟ ହୋଇଥିଲେ। ୨୫ ଜୁନ୍ ୨୦୨୫ରେ ସୁନେତ୍ରା ପାୱାର ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଇଥିଲେ। ସେବେଠାରୁ ସେ ସଦସ୍ୟ ଅଛନ୍ତି। ସୂଚନାଯୋଗ୍ୟ, ବୁଧବାର ବାରାମତିଠାରେ ବିମାନ ଦୁର୍ଘଟଣାରେ ୬୬ ବର୍ଷରେ ଅଜିତ ପାୱାରଙ୍କ ପରଲୋକ ହୋଇଥିଲା।

ଆହୁରି ପଢ଼ନ୍ତୁ: Gold Rate drops: ସୁନା ୯,୬୫୦ ଟଙ୍କା କମିଲା, ୨୩ ପରଠାରୁ ଲଗାତାର ବଢ଼ୁଥିଲା ସୁନା ଦର