ଅଜିତ ପାୱାର ଦୁଇଟି ଅପରାଧିକ ମାମଲାର ତଦନ୍ତ ସାମ୍ନା କରୁଛନ୍ତି

ନୂଆଦିଲ୍ଲୀ : ଏନ୍‌ସିପି ନେତା ଅଜିତ୍‌ ପାୱାର ଆଜି ଦେବେନ୍ଦ୍ର ଫଡ୍‌ନାଭିସ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ସେ ଏବେ ଦୁଇଟି ଅପରାଧିକ ମାମଲା ତଦନ୍ତର ସାମ୍ନା କରୁଛନ୍ତି। ମହାରାଷ୍ଟ୍ର ଷ୍ଟେଟ୍‌ କୋ ଅପରେଟିଭ ବ୍ୟାଙ୍କ (ଏମ୍‌ଏସ୍‌ସିବି)ରେ ହୋଇଥିବା ୨୫ ହଜାର କୋଟି ଟଙ୍କାର ଦୁର୍ନୀତିରେ ଅଜିତ୍‌ ପାୱାର ଛନ୍ଦି ହୋଇପଡ଼ିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ଆର୍ଥିକ ଅପରାଧ ନିୟନ୍ତ୍ରଣ ଶାଖା ପାୱାରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛନ୍ତି। ଅଗଷ୍ଟ ୨୨ରେ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିବା ପରେ ଇଓଡବ୍‌ଲ୍ୟୁ ଅଜିତ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା। ଏହା ପରେ ମନି ଲଣ୍ଡରିଂ ମାମଲାରେ ଇଡି ପାୱାରଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ସେହିଭଳି ମହାରାଷ୍ଟ୍ରରେ ହୋଇଥିବା ଜଳସେଚନ ଦୁର୍ନୀତିରେ ପାୱାରଙ୍କ ନାମ ଯୋଡ଼ି ହୋଇଛି। ଗତବର୍ଷ ବି‌ଜେପି ସରକାର ଏ ବାବଦରେ ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲା। ଯେତେବେଳେ ମହାରାଷ୍ଟ୍ରରେ ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଚାଲିଥିଲା ଏବଂ ଅଜିତ୍‌ ପାୱାର ଉପ ମୁଖ୍ୟମନ୍ତ୍ରୀ ଥାଇ ଜଳସେଚନ ବିଭାଗ ଦାୟିତ୍ବରେ ମନ୍ତ୍ରୀ ଥିଲେ। ସେତେବେଳେ ତାଙ୍କ ବିରୋଧରେ ଜଳସେଚନ ଦୁର୍ନୀତି ଅଭିଯୋଗ ଆସିଥିଲା।

ସମ୍ବନ୍ଧିତ ଖବର